Unknown

 

 

 

 

 

 

 

 

 

ଗୁପ୍ତ ତ୍ରିପୁର ରାହାସ

ଅଚ୍ୟୁତାନନ୍ଦ ଦାସ

 

ଶାରଦାୟୈ ନମଃ

ପ୍ରଥମ ଛାନ୍ଦ

 

ରାମ, ଭରଥ, ବକ୍ର, ବିଷ୍ଣୁଦେବ । ଧରମୁରେ ପଞ୍ଚୁ ଶାଖା ସରବ ।।

ଦକ୍ଷିଣ ଚନ୍ଦ୍ର ଯେ ନନ୍ଦ କମାର । ନାରଣ ଦାସ ଯେ ଗୋପକୁମର ।।

ସୁଜନେ – କମାର ରାସ ଦାସ

କନ୍ଦ ଦାସ ଯେହୁ ମୋହର ଅଂଶ ।।୧

 

ନିରଂଜନ ବେହେରା ସଂଗତେଣ । କୁମ୍ଭାର ରାମରେ ସପତ ଜଣ ।।

ପଞ୍ଚୁ ସପତରେ ଦ୍ଵାଦଶ ମୋର । ପୁଣି ରାହାସେ ଦ୍ଵାଦଶ କୁମର ।।

ସୁଜନେ – ରାମର ଆଠଜଣ

ଭରଥର ଚାରି ନାଦ ନନ୍ଦନ ।।୨

 

ହରିଆ ଗୋପାଳ ରାହାସ ଦାସ । ଭରତ କୁମର ଗୋପାଳ ଶିଷ୍ୟ ।।

ଯୋଗୀ ଗୋବର୍ଦ୍ଧନ ଚମାର ରାମ । ପୁନାନନ୍ଦ, ବରଜୁ ବୁଣା ଶ୍ୟାମ ।।

ସୁଜନେ – ଯଦୁ ଦାସ ଗୋପାଳ

ବଇରାଗୀ ଉଦିଆନନ୍ଦ ମେଳ ।।୩

 

ଆବର ଶିଷ୍ୟ ଗୋପାଳ ଭଗତ । ମେଳ ହୋଇ ଆସିଲେ ବାହିପଥ ।।

କୁଣ୍ଡି କଟକେ ପ୍ରବିଶ୍ୟ ହୋଇଲେ । ଚଉକୀ ବଟ ପାରୁଶେ ମିଳିଲେ ।।

ସୁଜନେ – ସପ୍ତବାର ସରବେ

ପ୍ରଦକ୍ଷିଣ କଲେ ଭଗତି ଭାବେ ।।୪

 

ଦେଖି ଅଚ୍ୟୁତି ହୋଇଲା ହରଷ । ବୋଇଲା ଶୁଣ ଆହୋ ଗୋପଶିଷ୍ୟ ।।

କଉଂଣ କାର୍ଯ୍ୟେ ଏ ଥଳେ ଆସିଲ । ୟେକାନ୍ତ ନିଷ୍ଠା ମୋହର ଭାଙ୍ଗିଲ ।।

ସୁଜନେ – ବର ହାଥ ଅନ୍ତରେ

ପାଦେ ଓଳଗିଲେ ଗୋପ କୁମରେ ।।୫

 

ଆଜ୍ଞା ପାଇ ଶିରରେ କର ଦେଇ । ଉଭା ହୋଇଣ ବରଜ ତନୟୀ ।।

ପୁଚ୍ଛା କରଇଂସେହି ଭ୍ରଥବୀର । ଶତ ରବି ମୁଖ ପ୍ରଭା ତାହାର ।।

ଭୋ ଦେବ – ନ କରିଣ ନିରାଶ

ବେକତ କର ତ୍ରିପୁର ରାହାସ ।।୬

 

ସରବେ ତହିଂ ସନମତ କଲେ । ଗୋପତ ଫେଡ଼ାଅ ବୋଲି ବୋଇଲେ ।।

ଶ୍ରବଣମାତ୍ରେ ଅନାମ ସ୍ମରିଲୁ । ଅରୂପାନନ୍ଦ ରୂପ ଧ୍ୟାନକଲୁ ।।

ସୁଜନେ – ଶାରଳାଙ୍କ ପୟର

ସୁମରଣା କଲୁ ହୃଦ ପଦ୍ମର ।।୭

 

ଶାରୋଳା ଦେବୀ କଣ୍ଠେ ବିଜେ କଲା । ଅନୋହୋତିରେ ପଦଦୃଶ ହେଲା ।।

ତହୁଂ ବୋଇଲୁ ଶୁଣ ଗୋପଗଣ । ଆଜ ଦିନହିଂ ମୋହର ସୁଦିନ ।।

ସୁଜନେ – ପୁଣି ମକର ମାସ

ଶୁକଳ ପଞ୍ଚମୀ ଆଜ ଦିବସ ।।୮

 

ସପତ ବାରେ ବୃହସ୍ପତିବାର । ମନ ବାଞ୍ଛା ପୁରାଇବା ତୁମ୍ଭର ।।

ଧୋଜା ପାଟଣା ନଗ୍ରେ ଚାଲଯିବା । ବେଲ ମଣିଆ ମଠରେ ମିଳିବା ।।

ସୃଜନେ – ସେହୁଟି ସିଦ୍ଧଥାନ

ସୁବର୍ଣ୍ଣ ଚଣ୍ଡି ଅଛି ଗୋପତେଣ ।।୯

 

ସେନ୍ଦେବୀର ଆଜ ଜନମଦିନ । ବସନ୍ତ ପଞ୍ଚମୀ ରଖିବ ମନ ।।

ମୋହର ଅଂଶ ଲୋହ ରାମଦାସ । ତପ କରୁଥିଲା ବରଜ ବଂଶ ।।

ସୁଜନେ – ତହିଂ ଆଜ ନିଶିରେ

ମହୋଚ୍ଛବ କରାଇବା ବିଧିରେ ।।୧୦

 

ତହୁଂ ସରବେ ଗମିଲୁ ତୁରିତ । ବେଲ ମଣିଆ ମଠେ ଉପଗତ ।।

ଲୋହରାମ ଶିଷ୍ୟ ଗୋପିଆ ଦାସ । ଏକାନ୍ତରେ ତହିଂ କରଇ ବାସ ।।

ସୁଜନେ – ଗୋପୀ ଦାସ ଦେଖିଲା

ଖଣ୍ଡେ ଦୂରୁ ଦଣ୍ଡ ପାଏ ପଡ଼ିଲା ।।୧୧

 

ସୁବାସିତ ତୀର୍ଥ ଜଳକୁ ଆଣି । ପାଦଧୋଇ ଦେଲା କୁମର ମଣି ।।

ପାଦ ଉଦକ ଗର୍ଭକୁ କ୍ଷେପିଲା । କିଛୁ ପାଦ ଜଳ ଶିରେ ସିଞ୍ଚିଲା ।।

ସୁଜନେ – ପୋଛୋଡ଼ାରେ ପୋଛିଣ

ବସାଇଲା ଦେଇ ଦିବ୍ୟ ଆସନ ।।୧୨

 

ଗଂଧ, ପୁଷ୍ୟ, ଧୂପ, ଦୀପ ହିଁ ଦେଲା । ଗୁରୁ ପରମ ଗୁରୁଙ୍କୁ ପୂଜିଲା ।।

ମଣୋହି ପାଇଁ ଦେଲା ଦିବ୍ୟପଣା । ଉଭାହେଲାକ ହୋଇ ହୃଷ୍ଟ ମନା ।।

ସୁଜନେ – ଶ୍ରୀମୁଖେ ଆଜ୍ଞାଂ ଦେଲୁ

ରାମ କମାରକୁ ପାଶେ ରାଇଲୁ ।।୧୩

 

ବୋଇଲୁ କମାର ଶୁଣ ବଚନ । ଏହୁଥଳଟି ତୋହ ନିଜ ଥାନ ।।

ସଞ୍ଚାଦ୍ରବ୍ୟ ମାନ କରାଇ ଠୂଳ । ନିର୍ଭୀକର ବେଗେ ରାସ ମଣ୍ଡୋଳ ।।

ସୁଜନେ – ଅଧିବାସ କରିବା

ତ୍ରିୟ ଦିବସ ରାହାସ ରଂଚିବା ।।୧୪

 

ଶୁଣ ହୋ ରାମ ଗୋପତ ଫେଡ଼ିବା । ମନରୁ ତୋର ସଂଶ, ଦହିବା ।।

ବାଉନ ରାହାସ କ୍ରୀତନ କଲି । ଗୋପ ପୋଅଙ୍କ ହାଥେ ସଅଁପିଲି ।।

ସୁଜନେ – ସପତ ଶାଖା ମୋର

ରାହାସ ରଂଚିବ ଅବନୀ ପୁର ।।୧୫

 

ଏକଶତ ଆଠ ବାସ କ୍ରୀଡ଼ନ । ଗ୍ରନ୍ଥ ରଂଚନା ହୋଇବ ପ୍ରମାଣ ।।

କମାର, କୁମ୍ଭାର ପୁଣି ନାରଣ । ଦକ୍ଷିଣ ନନ୍ଦ କନ୍ଦ ନିରଂଜନ ।।

ସୁଜନେ – କରାଇବଟି ଖ୍ୟାତ

ଜନ ପରାଣୀ ହୋଇବେ ମୋକତ ।।୧୬

 

ଶୁଣ ଆହୋ ବିଶ୍ଵକ୍ରମାନନ୍ଦନ । ଆଜ ରଂଚିବା ରାହାସ କ୍ରୀଡ଼ନ ।।

ବୈରାବୀ ରଜକ ତୋର ସଂଗାତ । ଅଛଇ ଏଥଳେ ଉଦାସୀ ମତ ।।

ସୁଜନେ – ବ୍ରହ୍ମ ଧୂନୀ ଥାପିବ

ଯଉଂଣ ଭାବେ ମହୋଚ୍ଛବ ହେବ ।।୧୭

 

ଲୋହ ରାମ ଯେ ତହୁଂ ଆଜ୍ଞାଦିଲା । ଗୋପିଆ ବାଉରୀ ବେଗନ୍ତେ ଗଲା ।।

ମହୋଚ୍ଛବ ସଂଚା କଲାକ ଠୂଳ । ରାମ କମାର ରଂଚିଲା ମଣ୍ଡୋଳ ।।

ସୁଜନେ – ଅଚ୍ୟୁତିର ଆଜ୍ଞାରେ

ରାହାସ ଗଣ ମିଳିଲେ ସତ୍ଵରେ ।।୧୮

 

ଅଚ୍ୟୁତ ଦାସର ସପତ ଅଂଶ । ସରବେ ହୋଇ ତହିଁ ଦିବ୍ୟବେଶ ।।

ଦକ୍ଷିଣ ଚକ୍ର ଆସିଲା ବହନ । ଶ୍ଵେତ ଚାମର ହାଥରେ ଧରିଣ ।।

ସୁଜନେ – ଶୁକ୍ଳ ପାଟ ପିନ୍ଧିଛି

କାନ୍ଦରେ ଉତ୍ତରୀ ଶୋଭା ପାଉଛି ।।୧୯

 

ବେନି ଶ୍ରବଣେ ମକର କୁଣ୍ଡଳ । ହରିମନ୍ଦିର ତିଳେକ କପୋଳ ।।

ଘଣ୍ଟି ଘାଗୁଡ଼ି ବାନ୍ଧିଛି କଟୀରେ । ତୁଳସା ମୋକତା ମାଳ ଗଳାରେ ।।

ସୁଜନେ – ବାନ୍ଧି ଅଛଇ ଚୂଳ

ତଥିରେ ଗୁଡ଼ାଇ ପୁଷ୍ପର ମାଳ ।।୨୦

 

ମୟୂର ପୁଚ୍ଛ ଖୋସିଅଛି ପୁଣି । ଗୁଂଜରା ମାଳିରେ ଚୂଳ ମଣ୍ଡଣି ।।

ଦ୍ଵାଦଶ ତିଳେକ ଅପୂର୍ବ ବେଶ । ବ୍ରହ୍ମ ଗୋପାଳ ରାହାସର ଦାସ ।।

ସୁଜନେ – ବେନି ପାଦେ ଘୁଂଘୁଂର

ପ୍ରବିଶ୍ୟ ହେଲା ରାସ ଦେବୀଠାର ।।୨୧

 

ଆଢ଼େଣୀ ଧରି ସେ ନାରଣ ଦାସ । ସୁକଳ ବସନେ ସେ ବ୍ରଜ ଶିଷ୍ୟ ।।

ଦକ୍ଷିଣ କାନ୍ଧେ ତାହାର ପଇତା । ତୁଳସୀ ମାଳି ପୁଷ୍ୟରେ ମଣ୍ଡିତା ।।

ସୁଜନେ – ହୋଇଣ ସେ ସୁବେଶ

ମସ୍ତକେ ପାଗ ବାନ୍ଧି ପରବେଶ ।।୨୨

 

ଗୋପୀ ଭାବରେ ବରଜ ନନ୍ଦନ । କନ୍ଦଦାସ ପ୍ରବେଶିଲା ଟି ଜାଣ ।।

ଅଂଗରେ ତାହାର ପୀତ ବସନ । ମସ୍ତକରେ ସେ ଓଢ଼ଣୀ ଦେଇଣ ।।

ସୁଜନେ – ହାତେ ରୂପକଟରା

ଭରିଛି ତହିଁରେ ସୁଗନ୍ଧି ଛେରା ।।୨୩

 

ନୟନେ କଜ୍ଵଳ ପାଦେ ଅଳତା । ମଥାରେ ସିନ୍ଦୂର ଚନ୍ଦନ ଚିତା ।।

ହସ୍ତ ପଦରେ ବାନ୍ଧି ପୁଷ୍ୟମାଳ । ରୁଂଜ ଗୁଂଜ ତୁଳସା ହୃଦ ଥଳ ।।

ସୁଜନେ – ରାସ ବେଦୀ ପାରୁଶେ

ଆଡ଼ ମୟନେ ମନ୍ଦ ମନ୍ଦ ହସେ ।।୨୪

 

ନନ୍ଦ କମାର ଧରିଣ ତରାସ । ପ୍ରବେଶ ହେଲା ସେ ରାହାସ ଦାସ ।।

ବେହେରା ନିରଂଜନ ହିଂ ଆସିଲା । ପୁତ୍ର ପୁଷ୍ୟରେ ବେଦୀ ମଣ୍ଡାଇଲା ।।

ସୁଜନେ – ଆସିଲା ଚକ୍ରୀରାମ

ଜାଉଂଳି ନୋଳି ତା ବେନି ଶ୍ରବଣ ।।୨୫

 

ପିନ୍ଧିଛି ବାସନ ତ୍ରିକଚ୍ଛିମାରି । କାନ୍ଧରେ ପୁଣି ଶୁକଳ ଉତ୍ତରୀ ।।

ଦ୍ଵାଦଶ ତିଳେକ ତନୁ ମଣ୍ଡିତ । କାହାଳୀ ବାଦ୍ୟ ଧରିଅଛି ହାତ ।।

ସୁଜନେ – ତୁଲୁସା ଯେ ପୁଷ୍କର

ରୁଦ୍ରାକ୍ଷର ମାଳ ଲମ୍ବେ ହୃଦର ।।୨୬

 

ଅଛଇ ଟି ତହିଂ ରାମକମାର । ଶୁକ୍ଳ ବସନ ପିନ୍ଧିଛି ଯତ୍ନର ।।

ପୀତ ଉତ୍ତରୀ କାନ୍ଦେ ଉପରାଣ । ମସ୍ତକେ ଶୁକଳ ପାଗ ଶୋହନ ।।

ସୁଜନେ – ଗଳେ ତୁଳସା ମାଳ

ରୁଂଜ ଗୁଂଜ ଶୋହେ ହୃହୟ ସ୍ଥଳ ।।୨୭

 

ଲଲାଟେ ହରିଦ୍ରାବର୍ଣ୍ଣ ତିଳେକ । ସିନ୍ଦୁର ବିନ୍ଦୁ ଦିଶେ ଜକ ଜକ ।।

କାନ୍ଧ ପରେ ନବଖିଅ ପଇତା । ଦ୍ଵାଦଶ ଥାନେ ତିଳେକର ଚିତା ।।

ସୁଜନେ – ପୁଣି ପୋହଳା ମାଳ

ବେନି ନୟନେ ମୋହର କଜ୍ଵଳ ।।୨୮

 

ଭରଥ ସୁତ ବ୍ରଜ ହରିଦାସ । ପୁଷ୍ପ ବିଞ୍ଚଣୀ ହାଥରେ ପ୍ରବେଶ ।।

ସୁନ୍ଦର ତନୁ ଅତି ମନୋହର । ଯୁବତୀ ଦେଖନ୍ତେ ହେବେ ଆତୁର ।।

ସୁଜନେ – ଅଂଗେ ଶୁକ୍ଳବସନ

ପାଦେ ନୂପୁର କରେ ରୁଣଝୁଣ ।।୨୯

 

ଗଜରାହାର ଲମ୍ବିଛି ହୃଦର । ତୁଳୁସା କଣ୍ଠି ବାନ୍ଧିଛି ଗଳାର ।।

ମାଣିକ୍ୟର ମାଳ ଶୋଭା ପାଉଛି । ମୁଖରୁ ଦିବ୍ୟ ତେଜ ବାହାରୁଛି ।।

ସୁଜନେ – ସେହୁ ରାହାସ ଦାସ

ପରବେଶ ହେଲା ଗୋପଳ ଶିଷ୍ୟ ।।୩୦

 

ବ୍ରହ୍ମଧ୍ଵନୀ ପାଶେ ବୈରାଗୀଦାସ । ଗୋପୀକା ଘାଟରେ ତାହାର ବାସ ।।

ଚାଖଣ୍ଡ କୌପୀନ ଅଛି କଟୀର । ଶ୍ୟାମଳ ବର୍ଣ୍ଣ ପୃଥୁଳ ଶରୀର ।।

ସୁଜନେ – ଅଂଗେ ଧୁନୀ ପାଉଁଶ

ଅପରୂପ ବେଶ ରାହାସେ ଦାସ ।।୩୧

 

ଘୃତ ଦୀପାବଳୀ ସେହୁ ଟେକିଲା । ଧୂନୀ କୁଣ୍ଡକୁ ଆବୋରି ରହିଲା ।

ରାସ ମଣ୍ଡୋପେ ଲୋହ ରାମ ରହି । ବିଧି ମତେ ପୂଜା ବିଧି କରାଇ ।।

ସୁଜନେ – ଯହୁ ଦାସ ଗୋପାଳ

ଶଂଖ ବଜାଇଲା ବରଜବାଳ ।।୩୨

 

ଚମାର ରାମ ସିଂଘାନାଦକଲା । ଯୋଗୀ ଦାସ କାହାଳୀ ବଜାଇଲା ।।

ବାର ଗୋପସୁତ ସଜହୋଇଣ । ପ୍ରବିଶ୍ୟ ହେଲେ ସୁବେଶ ହୋଇଣ ।।

ସୁଜନେ – ଗୁରୁଦେବ ସୁମରି

ଜୟ ଜଗନ୍ନାଥ ମୁଖେ ଉଚାରି ।।୩୩

 

ପଞ୍ଚୁ ଶାଖାଙ୍କୁ ଘେନି ଗହଣରେ । ଅଚ୍ୟୁତି ଦାସ ବସିଛି ଆଗରେ ।।

କଣ୍ଠରେ ବିଜେ ଦେବୀ ଶାରଦାଈ । ପଦମାନ ଅନହୋତି ସ୍ଫୁରଇ ।।

ସୁଜନେ – କହେ ଅଚ୍ୟୁତି ଦାସ

ରଂଚନା ହେବ ତ୍ରିପୁରା ରାହାସ ।।୩୪

 

ଦ୍ଵିତୀୟ ଛାନ୍ଦ

 

ଶୁଣିମା ଜନେ ତ୍ରିପୁର ରାହାସ । ଅତି ଗୋପତ ଥିଲା ଅପ୍ରକାଶ ।।

ବିନାଶ ହେବ ଅଜ୍ଞାନ ତିମିର । ଅନ୍ତେଣ ପାଇବ ଗୋଲକ ପୁର ।।

ସଖୀଗୋ – ହେତୁ ହେବ ଉଦିଅ

ଜ୍ଞାନ ପ୍ରକାଶିବ ବରଜ ପୋଅ ।।୧

 

ଶ୍ରୀ ଜଗନ୍ନାଥ ଯେ ପରମ ବ୍ରହ୍ମ । ଷୋଳକଳା ତା’ ନାହିଁ ରୂପ ଗୁଣ ।।

ଅବତାରମାନେ ଅଛନ୍ତି ଯେତେ । ଅଂଶ କଳାରେ ଉଦିତ ଜଗତେ ।।

ସଖୀଗୋ – ସେ ପ୍ରଭୁ ପଞ୍ଚୁଭୂତ

ପଞ୍ଚୁସଖା ଆମ୍ଭେ ମଂଚେ ଉଦିତ ।।୨

 

ପଞ୍ଚୁ ସନ୍ତକ ପଞ୍ଚୁଜନ ଦିଲେ । ଲୀଳା ନିମନ୍ତେ ମଂଚେ ପଠାଇଲେ ।

କଳିଯୁଗେ ମଂଚେ ହେବ ଜନମ । ସନ୍ତେକ ଘେନି ଥାପିବଟି ଧର୍ମ ।।

ସଖୀଗୋ – ଶ୍ରୀମୁଖରେ ହୋଇଲେ

ସନ୍ତକମାନ ହିଁ ଆମ୍ଭଙ୍କୁ ଦିଲେ ।।୩

 

ଜଗୁଦାସର ସନ୍ତେକ ଚାମର । ନୀଳଚକ୍ର ଦେଲେ ମୋହ ହାତରେ ।।

ଯଶୋବନ୍ତ ସନ୍ତେକ ଯେ ଶଂଖ । ଅନନ୍ତ ଶିଶୁ କାହାଳୀ ସନ୍ତେକ ।।

ସଖୀଗୋ – ଦାସ ଶ୍ରୀବଳରାମ

ଆଲଟ ସନ୍ତକ କଲେ ପ୍ରଦାନ ।।୪

 

ଶ୍ରୀମୁଖରେ ଜଗନ୍ନାଥ କହିଲେ । ସନ୍ତେକଟି ବହିବ କାଳେ କାଳେ ।।

ତୁମ୍ଭର ଯେତେକ ହୋଇବେ ଅଂଶ । ସନ୍ତେକ ଜାଣି ବୋଲାଇବେ ଦାସ ।।

ସଖୀଗୋ – ଯେହୁ ଜାଣି ନଥିବ

ପଞ୍ଚୁସଖା ଅଂଶେ ଗଣା ନୋହିବ ।।୫

 

ଯେଣୁ ପ୍ରଭୁଙ୍କ ଶ୍ରୀମୁଖ ପାଇଲି । ରାହାସ କ୍ରୀତନ ହେଲେ ରଂଚିଲି ।।

ଗୋପ କୁମରେ ଶିକ୍ଷା ଦୀକ୍ଷାଦେଲି । ମହୋଚ୍ଛବ ଦେଶ ଗ୍ରାମେ କରିଲି ।।

ସଖୀଗୋ – କଳି ଯୁଗେ କାରେଣି

ନାମବିନୁ ଆନ ନାହିଂଟି ପୁଣି ।।୬

 

ପିଣ୍ଡ ବ୍ରହ୍ମାଣ୍ଡରେ ଏକୋଇ ଖେଳ । ତତ୍ଵକୁ ଭେଦିଲେ ବ୍ରହ୍ମଗୋପାଳ ।।

ଜୀବପରମଙ୍କର ଲୀଳାରସ । ସର୍ବଦା ଲାଗିଛି ନିତ୍ୟ ରାହାସ ।।

ସଖୀଗୋ – ଯେହୁ ପିଣ୍ଡରେ ପାଇ

ବ୍ରହ୍ମାଣ୍ଡରେ ତା’ର କାର୍ଯ୍ୟଟି ନାହିଁ ।।୭

 

ସପ୍ତସ୍ଵର୍ଗ ସପତ ମଂଚ ପୁର । ସପତ ପାତାଳ ହୋଇଛି ସାର ।।

ଏକ ବିଂଶ ଭୂବନ ଯାହାକହି । ତୋହର ପିଣ୍ଡଟି ଅଟଇ ସେହି ।।

ସଖୀଗୋ – ସଦଗୁରୁ ସେବିଲେ

ରାହାସ ଲୀଳାକୁ ଦେଖିବ ଭଲେ ।।୮

 

ଭୂଃ ଭୁବଃ ସ୍ଵଃ ମହଃ ଯେଜନଃ । ତପଃ, ସତ୍ୟ ସପ୍ତ ସ୍ଵର୍ଗଟି ଜାଣ ।।

ଗୋପ, ମଥୁରା, କାଞ୍ଚି, ଯାଜପୁର । ଅଯୋଧ୍ୟା, ସଉରାଷ୍ଟ୍ର, କାଶୀପୁର ।।

ସଖୀଗୋ – ସପ୍ତ ମଂଚ ଟି ଏହୁ

ଅଜ୍ଞାନ ମୂରୁଖ ଜାଣିବେ କାହିଁ ।।୯

 

ଅତଳ ରସାତଳ ମହୀତଳ । ବିତଳ ସୁତଳ ସଂଗେ ନିତଳ ।।

ତଳାତଳ ଘେନି ପାତାଳ ସାତ । ତ୍ରିୟ ସପ୍ତ ଏକ ବିଂଶ ବିଦିତ ।।

ସଖୀଗୋ – ସ୍ଵର୍ଗ ମଞ୍ଚ ପାତାଳ

ମଂଚପୁରେ ହୁଏ ନିତ୍ୟର ଖେଳ ।।୧୦

 

ମଂଚ ପୁର ଗୋଟି ନୀଳାର ଥାନ । ଅବତାର ମାନ ଯେତେକ ପୁଣ ।।

ଥୁଳ ଶରୀରେ ହୁଅନ୍ତି ଉଦିତ । ଲୀଳା ଖେଳାକରି ଉଦ୍ଧାର ଭକ୍ତ ।।

ସଖୀଗୋ – ମଂଚ ଭୂବନେ ସାର

ସପ୍ତଦ୍ଵୀପେ ଜମ୍ବୁ ନାମ ଯାହାର ।।୧୧

 

ଜମ୍ବୁ ଦ୍ଵୀପେ ଭ୍ରଥ ଖଣ୍ଡ କମଳ । ତହିଁ କେଶୁର ଓଡ୍ରରାଷ୍ଟ୍ରଥଳ ।।

ସୁହାଙ୍ଗ ବାସ ମାଝଖଣ୍ଡ ଭୂଇଁ । ଚିତ୍ରାଙ୍ଗୀ ଧାର ଦକ୍ଷିଣେ ବହଇ ।।

ସଖୀଗୋ – ତାର ଦିଗ ଉତ୍ତର

ବହି ଯାଉଅଛି ଲବଣ ଧାର ।।୧୨

 

ତ୍ରିୟ କୋଣିଆ ସେ ତ୍ରିପୁର ଭୂଇଂ । ପଦ୍ମବନର ଉତ୍ତର ଭାଗେ ହିଁ ।।

ଷୋଡ଼ଷ ବଟ ବେଢ଼ି ରହିଛନ୍ତି । ଷୋଡ଼ଶ ଗୋପୀ ବେହାର କରନ୍ତି ।।

ସଖୀଗୋ – ସେ ବଟ ଆଶ୍ରାକରି

ଷୋଡ଼ଶ ଋଷି ଅଛନ୍ତି ଆବୋରି ।।୧୩

 

ପୂର୍ବ ଦିଗରେ ଅଛି ଚଉବଟ । ଚାରି ଋଷିଙ୍କର ସେଠାରେ ମଠ ।।

ସନକ ସନାତନ ଯେ କପିଳ । ଆବର ତହିଁ ତପୀ ପଞ୍ଚୁଶୀଳ ।।

ସଖୀଗୋ – ଗୁପତେ ରହିଛନ୍ତି

ତ୍ରିପୁର ଭୂମିରେ ରାସ ଦେଖନ୍ତି ।।୧୪

 

ମରିଚୀ, କଣ୍ଡୁ, ଗୋଧୁ ଯେ ଆସୁରୀ । ପଶ୍ଚିମ ଚାରିବଟ ଆଶ୍ରାକରି ।।

ପୁଲସ୍ତୀ, ଅତ୍ରିଅ, ଅଂଗିରା , କୃତି । ଉତ୍ତର ବଟରେ ତାଙ୍କ ବସତି ।।

ସଖୀଗୋ – ନିତ୍ୟ ଲୀଳା ସୋମରି

ଅଛନ୍ତି ଅନାମ ସୂତ୍ରକୁ ଧରି ।।୧୫

 

ଦକ୍ଷିଣ ଭାଗେ ଚଉବଟ ସ୍ଥିତ । ଚଉଋଷି ରହିଛନ୍ତି ଗୋପତ ।।

ପୁଲହ, କ୍ରତୁ, ବଶିଷ୍ଠ, ପ୍ରଚେତା । ଯୁଗ ଯୁଗାନ୍ତେ ଛନ୍ତି ମହାରେତା ।।

ସଖୀଗୋ – କରିଣ ଯୋଗ ଧ୍ୟାନ

ତ୍ରିପୁର ରାସ କରନ୍ତି ଦ୍ରଶନ ।।୧୬

 

ମହାନିତ୍ୟରେ ମୋ ନାମ ସୁଦାମ । ଗୋଲକ ନିତ୍ୟସ୍ଥଳେ ମୋର ଥାନ ।।

ସତ୍ୟରେ ନାମ ମୋର କୃପାଜଳ । ତ୍ରିୟୋ ଯୁଗେ ନାମ ହେଲା ନଳ ।।

ସଖୀଗୋ – ଦ୍ଵାପରରେ ଜନ୍ମିଲି

ସୁଦାମ ଗୋପାଳ ନାମ ଭଣିଲି ।।୧୭

 

ଦ୍ଵାପର ଯୁଗେ ପ୍ରଭୁ ହେଲେ ଜାତ । ନଟବର କୃଷ୍ଣ ସେ ଗୋପୀନାଥ ।।

ଗୋପ ବୃନ୍ଦାବନ ଲୀଳା ରଂଚିଣ । ମଥୁରରେ କଂସ କଲେ ନିଧନ ।।

ସଖୀଗୋ – ଦ୍ଵାରାକା ଲୀଳା କଲେ

ନିତ୍ୟ ସଖା ସର୍ବେ ପାରୁଶେ ଥିଲେ ।।୧୮

 

ଦିନେକ ପ୍ରଭୁ ଏକାନ୍ତେ ଡାକିଲେ । ପାଶେ ବସାଇ ମୋହର ବୋଇଲେ ।।

ଶୁଣ ହୋ ସଖା ମୋହର ବଚନ । କଳିଯୁଗ ହେବ ବଡ଼ ଦୁଷଣ ।।

ସଖୀଗୋ – ଆମ୍ଭେ ଅଂଶ କଳାରେ

ଜନମ ହେବୁ ନଦିଆ ନବରେ ।।୧୯

 

ଭାଇ ବଳରାମ ହୋଇବେ ଜାତ । ନିତ୍ୟାନନ୍ଦ ନାମ ହେବ ବିଖ୍ୟାତ ।।

ଗୌରାଙ୍ଗ ବୋଲି ହେବ ଆମ୍ଭନାମ । ଶଚୀ ଦେବୀ ଗର୍ଭୁ ହେବି ଜନମ ।।

ସଖୀଗୋ – ତୁହି ହୋଇବୁ ଜନ୍ମ

ସୁନ୍ଦରାନନ୍ଦ ହେବ ତୋର ନାମ ।।୨୦

 

ଆମ୍ଭ ଗହଣେ ନୀଳାଞ୍ଚଳ ଯିବୁ । କ୍ଷେତ୍ରବରେ ସେହି ଦେହ ରଖିବୁ ।।

ତ୍ରିପୁର ଭୂଇଁ ତିଳକଣା ଗ୍ରାମ । ସେହିଥାନେ ପୁରି ହେବୁ ଜନମ ।।

ସଂଗାତ – ନାମ ହେବ ଅଚ୍ୟୁତ

ଦୀନବନ୍ଧୁ ନାମେ ଖୁଣ୍ଟିଆ ସୁତ ।।୨୧

 

ଶ୍ୟାମ ଗୋପୀ ଯେ ରାଧା ସହଚରୀ । ମଂଚ ପୁରେ ଜନ୍ମ ହେବ ତାହାରି ।।

ଅଢ଼ଙ୍ଗ ବିସ ନୃପତୀ ଦୁହିତୀ । ନାମ ହୋଇବ ତାର ଚଂପାବତୀ ।।

ସଂଗାତ – ତୋହର ମନୋହରୀ

ତ୍ରିତୟାରେ ମାଳା ନାମ ତାହାରି ।।୨୨

 

ଆଦିଅନନ୍ତ ଯୁଗେ ସେ ଭାରତୀ । ସତ୍ୟ ଯୁଗରେ ନାମ ଅଚ୍ୟୁତି ।।

ଋଷୀ ପତ୍ନୀ ହୋଇ କାଟିଛି କାଳ । ସତ୍ୟରେ ତୁହି ଋଷି କୃପାଜଳ ।।

ସଂଗାତ – ଯେହୁ ବିଧି ଲେଖନ

କେହୁ ବା ଏହାକୁ କରିବ ଆନ ।।୨୩

 

ଦାମ ସୁଦାମ ସୁବାହୁ, ସୁବଳ । ଶ୍ରୀବଚ୍ଛ, ସ୍ତୋକକୃଷ୍ଣ ମହାବଳ ।।

ମହାବାହୁ, ଲବଙ୍ଗ, ବା ସୁଦାମ । ମଧୁମଂଗଳ ସଂଗରେ ଶ୍ରୀଦାମ ।।

ସଖୀଗୋ – ସୁରଥ ଯେ ଯାଦେବ

ଲୋକପାଳ ସଂଗେ ସଖା ଉଦ୍ଧବ ।।୨୪

 

ସଖାଗଣରେ ଏହୁଟି ଷୋଡ଼ଶ । ନିତ୍ୟ ଗୋଲକେ ରଚନ୍ତି ରାହାସ ।।

ସଖା ଷୋଡ଼ଶ ସର୍ବେ ମେଳ ହେଲୁ । କଳିରେ ତେଣୁ ରାହାସ ରଂଚିଲୁ ।।

ସଖୀଗୋ – ଏହୁଗୁପ୍ତ ବୃତାନ୍ତ

ଏହା ଜାଣିଛନ୍ତି ଶ୍ରୀ ପଞ୍ଚୁମାତ ।।୨୫

 

କଳିରେ ତେଣୁ ତ୍ରିପୁର ଗ୍ରାମରେ । ଜନମ ହେଲି ଶ୍ରୀକୃଷ୍ଣ ଆଜ୍ଞାରେ ।

ବାଳ ନୀଳା କଲି ବାଳେକ ମେଳେ । ନିତି ଖେଡ଼ୁ ଆମ୍ଭେ ଚିତ୍ରାଙ୍ଗୀକୂଳେ ।।

ସଖୀଗୋ – ବେନି ଭ୍ରାଥା ମୋହର

ଏକଇ ଭଗିନୀ ଘେନି ସଂଗର ।।୨୬

 

ମୋହରେ ସତର ବରଷ ହେଲା । ପିଅର ତ୍ରିପୁର ଗ୍ରାମ ତେଜିଲା ।।

ମାଣ ପୁର ଗ୍ରାମରେ ହିଁ ରହିଲୁ । କିଛୁ ବରଷ ତହିଁ ବିତାଇଲୁ ।।

ସଖୀଗୋ – ଗୃହକର୍ମ ଆଚରି

ଦିନ ବଞ୍ଚିଲୁ ଦଇବ ସୋମରି ।।୨୭

 

ତ୍ରିପୁର ଭୁଇଁ ତିଳକଣା ଗ୍ରାମ । ସେ ଥଳ ମହିମା ଅତି ଗହଳ ।।

ସର୍ବଦା ଯହିଂ ଲାଗିଅଛି ରାସ । ବେଳକୁ ଗୋପ୍ତ କଲେ ହୃଷିକେଶ ।।

ସଖୀଗୋ – କଳି ଯୁଗ ହିଁ ଯିବ

ଶେଷାନ୍ତେ ମହିମା ପ୍ରକାଶ ହେବ ।।୨୮

 

ଭଗତ ମାନେ ହୋଇବେ ଜନମ । ଥାନ ମହିମା କରିବେ ପ୍ରଚ୍ଛିନ୍ନ ।।

ଗୁପତ ଭେଦକୁ ଯେହୁ ଜାଣିବ । ତ୍ରିପୁର ରହାସ ସେହୁ ଦେଖିବ ।।

ସଖୀଗୋ – ଠିକ୍ ହେବ ଠିକଣା

ଅଚ୍ୟୁତି ନାମରେ ଉଡ଼ିବ ବାନା ।।୨୯

 

ଚାରିଯୁଗ ଭକ୍ତେ କଳି ଶେଷରେ । ଜନମି କଳି କରିବେ ଗର୍ବରେ ।।

ତତ୍ଵ ନ ଭେଦି କରିବେ ବଡ଼ାଇ । କାଳୀ ଖପରେ ଯିବେ ଗୁରୁଦ୍ରୋହୀ ।।

ସଖୀଗୋ – ଅଣ ଗୁରୁଆ ଯେତେ

ବଡ଼ିମା ଗାଇ ବୁଲିବେ ଜଗତେ ।।୩୦

 

ଦ୍ଵାପର ଯୁଗେ ପ୍ରଭୁ ନନ୍ଦସୁତ । ଉତ୍ତର ଗୋପାଳେ ଦିଲେ ମୋହସ୍ତ ।।

ବଳରାମ ଶାପେ ମୂର୍ଖ ପଣରେ । ଜନମ ହେବେ ଉତ୍କଳ ଦେଶରେ ।।

ସଖୀଗୋ – ତାହାଙ୍କୁ ଉଦ୍ଧାରିବି

ଯୁଗ ଯୁଗାନ୍ତରେ କଥା ରଖିବି ।।୩୧

 

ପରମ ପୁରୁଷ ଶ୍ରୀଜଗନ୍ନାଥ । କୋଠ ଭଣ୍ଡାର ଦିଲେ ମୋର ହାଥ ।।

ଆଦି ଈଶ୍ଵରୀ କରୁଣା କରିଛି । କଣ୍ଠରେ ସଦା ଶାରୋଳା ବସିଛି ।।

ସଖୀଗୋ – ଆସନେତ ପଦମାନ

ଗୁପତ ରାସ କଲି ରଂଚନ ।।୩୨

 

ଗୋପତ ଏହୁ ତ୍ରିପୁର ରାହାସ । ଶୁଣ ହୋ ସରବେ ବରଜ ବଂଶ ।।

ସୋପର୍ଣ୍ଣତୀରେ ବେଲମଣିଆରେ । କହିଲି ତେଣୁ ଭଗତ ମେଳରେ ।।

ସଖୀଗୋ – ସୁବର୍ଣ୍ଣ ଚଣ୍ଡୀ ଧ୍ୟାୟୀ

ଅଚ୍ୟୁତ ଦାସ ଯେ ଭାବେ ଭଣଇ ।।୩୩

-o-

 

ତୃତୀୟ ଛାନ୍ଦ

 

ଅଚ୍ୟୁତ କହଇ ଶୁଣ ଆହୋ ରାମ ଦାସ ।

ଆବର ସରବେ ମୋର ଯେତେ ଅଂଶାଅଂଶ ।।୧

 

ତ୍ରିପୁର ରାହାସ ଏହୁ ଦେବେ ନ ଜାଣନ୍ତି

ଫେଡ଼ାଇଣ ଦିଲେ ମନୁ ଛାଡ଼ିଯିବ ଭ୍ରାନ୍ତି ।।୨

 

ମହାନିତ୍ୟ ଗୋଲକର ଯଉଁ ନିତ୍ୟ ରାସ

ମଂଚରେ ହୁଅଇ ପୁଣି ପିଣ୍ଡରେ ପ୍ରକାଶ ।।୩

 

ସପ୍ତ ଦ୍ଵୀପା ମେଦିନୀର ଯେହୁ ମଧ୍ୟଖଣ୍ଡ

ତ୍ରିପୁର ଭୂଇଁଟି ବିରାଟର ନାଭୀ ପିଣ୍ଡ ।।୪

 

ମହାନିତ୍ୟ ଗୋଲକର ସଖାସଖୀ ଯେତେ

କଳିଯୁଗରେ ସରବେ ଅଛନ୍ତି ଗୋପତେ ।।୫

 

ଋଷୀ ମୁନୀ ଯେ ଚାରୀ ସିଦ୍ଧାଙ୍ଗି ଅଛନ୍ତି

ବୃଚ୍ଛ ରୂପ ଅବା ମାଟି ଗଦା ରୂପ ଘେତି ।।୬

 

ସଖା ସଖୀ ମାନେ ବୃଚ୍ଛ କାହିଁବା ପାଷାଣ

ଊଇହୁଙ୍କା ହୋଇ ଗୋପତେ ଅଛନ୍ତି ପୁଣି ।।୭

 

ଦେବା ଦେବୀମାନେ ପୁଣି ବେଢ଼ି ରହିଛନ୍ତି ।

କଉଁଥାନେ ପ୍ରକଟ ଅପ୍ରକଟ କେଉଁଠି ।।୮

 

ପଦ୍ମବନ ପୂର୍ବ ଭାଗେ ଯହିଂ ଶାରୀ ଗ୍ରାମ

ପଶ୍ଚିମରେ ଗୁପ୍ତଥଳ ସେ ସାହାଡ଼ା ବଣ ।।୯

 

ଉତ୍ତର ଭାଗରେ ରାମ ବିରୂପାକ୍ଷ ଧାର ।

ଦଷିଣରେ ମହାନଦୀ କ୍ଷେତ୍ର ମଧ୍ୟେ ସାର ।।୧୦

 

ଚୌଷଠୀ ସହସ୍ର ସଖୀ ବେଢ଼ି ରହିଛନ୍ତି ।

ଗୋଲକ ପୁର ସଖା ନିଯୋଗେ ଖଟନ୍ତି ।।୧୧

 

ମାଝ ଥଳଟି ଅଟଇ ରାହାସ ମଣ୍ଡୋଳ

ତ୍ରିପୁର ଭୂଇଁଟି ରତ୍ନ ବେଦୀକା ସୁଢଳ ।।୧୨

 

ଚାରି ଯୁଗର ଭଗତ ଜନମ ଲଭିବେ

ତ୍ରିପୁର ଭୂଇଁ ମହିମା ବିଖ୍ୟାତ କରିବେ ।।୧୩

 

ପୂର୍ବ ବାସନାରୁ ତିଳକଣାରେ ଜନ୍ମିଲି

ଶୁଦ୍ର ବୁଲାଇ ଜଗତେ ଖେଳା ଲୀଳା କଲି ।।୧୪

 

ଗୋଲାହାଟରେ ଉପରେ କାଉଁରୀ ପାଟଣା

କାଉଁରୀ ପାଟଣା ତାନେ ସର୍ବେ ହେବେ ବଣା ।।୧୫

 

ଚନ୍ଦ୍ର ସୂର୍ଯ୍ୟ ବାଇ ଯଉଁ ପୁରେ ନ ଗମନ୍ତି ।

ଆପଣେ ଶେଷ ଅନନ୍ତ ଅନ୍ତ ନ ପାଆନ୍ତି ।।୧୬

 

ଅନନ୍ତ ପଂଣୀ ଉପରେ ଗୋଲକ ଯେ ପୁର

ନିତ୍ୟ ରାଧା ନିତ୍ୟକୃଷ୍ଣ କରନ୍ତି ବେହାର ।।୧୭

 

ବେଦ ମାନେ ସେହୁ ଥଳ ଚଉ ଦିଗେ ରହି

ପାବଚ୍ଛ ହୋଇ ଅଛନ୍ତି ମହାନିତ୍ୟ ଭୂଇଂ ।।୧୮

 

ବେଦ ମାର୍ଗେ ସେହୁପୁର ଭେଦ ନ ପାଇବ

ନିର୍ବେଦ ସହଜ ସୂତ୍ରେ ଅବଶ୍ୟ ଚଉଦିବ ।।୧୯

 

ନୀଳା କରନ୍ତି ଅରୂପାନନ୍ଦ ରୂପ ଧରି

ରାଧାକୃଷ୍ଣ ଯୁଗଳାଙ୍ଗ ବେନି ନୋହେବାରି ।।୨୦

 

ଆମ୍ଭେ ପଞ୍ଚୁସଖା ନିତ୍ୟ ଗୋଲକରୁ ଜାତ

ପଞ୍ଚୁ ବେଦ ମଧ୍ୟେ ଆମ୍ଭେ ପଞ୍ଚୁଜନ ଥିବ ।।୨୧

 

ପଞ୍ଚୁବୀଜ, ପଞ୍ଚୁଆତ୍ମା, ଅଟୁ ପଞ୍ଚୁ ସ୍ଵର

ପଞ୍ଚୁମାତ୍ରା, ପଞ୍ଚୁତତ୍ଵ, ପଞ୍ଚୁହିଂ ସମୀର ।।୨୨

 

ଅଣାକ୍ଷର ଏକାକ୍ଷର ପଞ୍ଚୁସଖା ଥାଉ

ପ୍ରଣବ ଓ ମତୀ ମଧ୍ୟେ ପଞ୍ଚୁହିଂ ସଂଭାଉଂ ।।୨୩

 

ପଞ୍ଚୁଭୂତେ ପଞ୍ଚୁସଖା ଶୁଣରେ କୋମର

ପଞ୍ଚୁ ସଖାଙ୍କୁ ଜାଣିଲେ ଭବୁ ହେବ ପାର ।।୨୪

 

ତ୍ରିପୁର ରାହାସ ଏହୁ ଅତିହିଁ ଗୋପତ

ସଦଗୁରୁ ଏକା ଭେଦାଇବ ୟେ ବୃତାନ୍ତ ।।୨୫

 

ଶୁଣ ବରଜ ନନ୍ଦନ ରାହାସର ଦାସ

ଜ୍ଞାନ ଗନ୍ତାଘର ଏହୁ ତ୍ରିପୁର ରାହାସ ।।୨୬

 

ଆମ୍ଭେ ପଞ୍ଚୁସଖା ଗୋଲକ ଭୂବନୁ ଜାତ

ଆନେ ଅପ୍ରକାଶ ଆମ୍ଭେ ଜାଣୁ ଏହା ତତ୍ଵ ।।୨୭

 

ମାନେବ ତନୁରେ ଅଷ୍ଟବିଂଶ ବ୍ୟାସ ଜାଣି

ଆବର ଏକା ଜାଣନ୍ତି ଦେବ ଶୂନପାଣି ।।୨୮

 

ଅଷ୍ଟବିଂଶ ବ୍ୟାସଙ୍କର ନାମ କହି ଦେବା

ତୁମ୍ଭନ୍ତ ମନରୁ ହେଲେ ସଂଶୟ ନାଶିବା ।।୨୯

 

ପ୍ରଥମ ବ୍ୟାସ ଯେ ସ୍ଵୟମ୍ଭୂବା ମହାମତି

ବୁଢ଼ୀ ବ୍ୟାସ ଅଟନ୍ତି ଯେ ଋଷୀ ପ୍ରଜାପତି ।।୩୦

 

ମୋଚନା, ବୃହସ୍ପତି, ସବିତା ପୁଣି ଯମ

ମଘବା, ବଶିଷ୍ଠ, ସାରସତ୍ଵ ଯେ ନବମ ।।୩୧

 

ତ୍ରିଧାମା, ତ୍ରିବୃଷ, ଭାରଦ୍ଵାଜ, ଅନ୍ତରୀକ୍ଷ

ଧର୍ମ ତ୍ରୟ୍ୟାରୁଣୀ, ଧନଜଂୟ ମନେରଖ ।।୩୨

 

ମେଧାତିଥି, ବ୍ରତି, ଅତ୍ରି, ଆବର ଗୌତମ

ହର୍ଯ୍ୟାତ୍ମା, ବାଜସ୍ରବା ଯେ ସୋମ ଶୁସାୟଣ ।।୩୩

 

ଭାର୍ଗବ, ଶକ୍ତି ଯେ ପରାଶର ମହାମୁନୀ

ଜାତୁ କର୍ଣ୍ଣ, କୃଷ୍ଣ ଦ୍ଵିପାୟନ ଥାଅ ଜାଣି ।।୩୪

 

ଅଠାଇଶ ବ୍ୟାସ ପରାଶରଙ୍କ ନନ୍ଦନ

ବେଦକୁ ଭାଗ କରିଣ କଲେକ ରଂଚନ ।।୩୫

 

ଅଷ୍ଟାଦଶ ପୁରାଣକୁ ରଚନା କରିଲେ

ଅଠର ଉପପୁରାଣ ତା’ପରେ ରଚିଲେ ।।୩୬

 

ତ୍ରିପୁର ଭୂଇଁ ମହିମା ଆନେ ଅଗୋଚର

ଗୋପତ ଫେଡ଼ି କହିବା ଶୁଣ ହୋ କୁମର ।।୩୭

 

ବଳରାମ ଦାସ ରୁକ ବେଦ ବୋଲି ଜାଣ

ଯଜୁର୍ବେଦ ଯଶମନ୍ତ, ଅନନ୍ତଟି ସାମ ।।୩୮

 

ଅଥର୍ବ ବେଦଟି ମୁହିଂନାମ ମୋ ଅଚ୍ୟୁତ

ଶିଶୁ ବେଦରେ ରହିଛି ଦାସ ଜଗନ୍ନାଥ ।।୩୯

 

ହ୍ରୀୟଂ ବୀଜ ବଳରାମ ଶ୍ରୀୟଂ ଯଶମନ୍ତ

କ୍ଳୀୟଂ ଶିଶୁ ଅନନ୍ତ ଯେ ଧ୍ରୀଂୟଂ ମୁଁ ଅଚ୍ୟୁତ ।।୪୦

 

ପ୍ରୀୟଂ ବିଜ ଜଗନ୍ନାଥ ଦାସ ବୋଲି କହି

ପଞ୍ଚୁ ସଖା ପଞ୍ଚ ମହାବୀଜଟି ବୋଲାଇ ।।୪୧

 

ଅଚ୍ୟୁତ ଦାସଟି ମୁହିଁ ଜୀବ ଆତ୍ମାଜାଣ

ତତ୍ଵଆତ୍ମା ଅଟଇ ଯେ ସଖା ବଳରାମ ।।୪୨

 

ଜ୍ଞାନ ଆତ୍ମା ଯଶମନ୍ତ ଦାସ ବୋଲାଇଛି

ଅନନ୍ତ ଶିଶୁ ଯେ ଧ୍ୟାନ ଆତ୍ମାରେ ରହିଛି ।।୪୩

 

ପରମ ଆତ୍ମାଟି ଅତି ବଡ଼ୀ ଜଗନ୍ନାଥ

ପଞ୍ଚୁ ଆତ୍ମା ମଧ୍ୟେ ପଞ୍ଚୁ ସଖା ଆମ୍ଭେ ଥିତ ।।୪୪

 

ଆଂ ବଳରାମ ଉଂ ଯଶମନ୍ତ ଭାଇ

ଏଂ ଶିଶୁ ଅନନ୍ତ ଯେ ଇଂ ଅଚ୍ୟୁତ ହିଂ ।।୪୫

 

ଅଂ ଜଗନ୍ନାଥ ଦାସ ରହୁ ପଞ୍ଚୁସ୍ଵରେ

ପଞ୍ଚୁସଖା ସଂଭାଇଛୁ ଏମନ୍ତ ଭାବରେ ।।୪୬

 

ଆକାର ମାତ୍ରାଟି ସଖା ବଳରାମ ଦାସ

ଉକାର ମାତ୍ରାଟି ଯଶମନ୍ତ ଯେ ପ୍ରକାଶ ।।୪୭

 

ଏକାର ଶିଶୁ ଅନନ୍ତ ଇକାର ଟି ମୁହିଁ

ଅଂ କାର ମାତ୍ରାଟି ଜଗନ୍ନାଥ ଦାସ ହୋଇ ।।୪୮

 

ବୁଦ୍ଧି ତତ୍ଵ ବଳରାମ ବିବେକ ଅଚ୍ୟୁତ

ନାମ ତତ୍ଵ ଯଶମନ୍ତ୍ର ରୂପଟି ଅନନ୍ତ ।।୪୯

 

ଆଶ୍ରୟ ତତ୍ଵଟି ଜଗନ୍ନାଥ ଦାସ କହି

ପଞ୍ଚୁ ତତ୍ଵ ମଧ୍ୟେ ପଞ୍ଚୁ ସଖା ଆମ୍ଭେରହି ।।୫୦

 

ପଞ୍ଚୁ ସମୀରର ଭେଦ ଯୋଗାଇଣ ଦେହା

ତୁମ୍ଭନ୍ତ ମନର ବାହୁ ଅଜ୍ଞାନ ନାଶିବା ।।୫୧

 

ପ୍ରାଣ ସମୀର ଅଟଇ ସଖା ଯଶମନ୍ତ

ଅନନ୍ତ ଦାସଟି ଅପାନ ବାଇ ବିଦିତ ।।୫୨

 

ସମାନରେ ବଳରାମ ଉଦାନେ ଅଚ୍ୟୁତ

ବ୍ୟାନ ବାଇ ବୋଲି ଅଟେ ଦାସ ଜଗନ୍ନାଥ ।।୫୩

 

ପ୍ରଣବରେ ଯଶମନ୍ତ ତାରକ ଯା ନାମ

ଦଣ୍ଡକ ଅନନ୍ତଶିଶୁ ଶୁଣ ତୁହି ରାମ ।।୫୪

 

କୁଣ୍ଡଳୀ ଯାହାକୁ କହି ବଳରାମ ଦାସ

ଅର୍ଦ୍ଧମାତ୍ରା ଅଚ୍ୟୁତ, ମୁଁ ପ୍ରଣବରେ ବାସ ।।୫୫

 

ପ୍ରଣବରେ ବିନ୍ଦୁ ଜଗନ୍ନାଥ ଦାସ ହୋଇ

ପଞ୍ଚୁସଖା ପ୍ରଣବରେ ପଞ୍ଚୁଥାନେ ରହି ।।୫୬

 

ଏକାକ୍ଷରେ ହର ହରା ଦାସ ବଳରାମ

ଯଶମନ୍ତ ଦାସ ହରୁ କରିଛି ବିଶ୍ରାମ ।।୫୭

 

ହରେ ହରୋରେ ଅନନ୍ତ, ହରିଟି ଅଚ୍ୟୁତ

ହରଂ ବୋଲି ଏକାକ୍ଷରେ ଅଛି ଜଗନ୍ନାଥ ।।୫୮

 

ଅଣଅକ୍ଷରରେ ପଞ୍ଚୁ ସଖା ଆମ୍ଭେ ରହି

ରାହାସ ଦେଖୁ ନିରତେ ଏ ତ୍ରିପୁର ଭୂଇଂ ।।୫୯

 

ପଞ୍ଚୁ ଶାଖା ସପ୍ତଶାଖା ଦ୍ଵାଦଶ ଗୋପାଳ

ଆବର ଭଗତ ଯେତେ ହୋଇଛନ୍ତି ମେଳ ।।୬୦

 

ଗୁରୁ ଗୁସାଇଂଙ୍କ ଶ୍ରୀମୁଖରୁ ଯେ ଶୁଣିଲେ

ଜ୍ଞାନ ତତ୍ଵ ଭେଦି ସର୍ବେ ଉଲୁସିତ ହେଲେ ।।୬୧

 

ତେଣୁ କରି ରାହାସ ଦାସେ ହେଲେ ଗଣିତା

ପୂର୍ବ ବାସନାରୁ ସର୍ବେ ହୋଇଲେଟି ଚେତା ।।୬୨

 

ଗୋପତରୁ ଗୋପତ ଏ ତ୍ରିପୁର ରାହାସ

ଜ୍ଞାନ ଉଦେ ହେଲେ ଗୋଲକେ ପାଇବ ଦାସ ।।୬୩

 

ଜ୍ଞାନର ଭଣ୍ଡାର ରାମ ତ୍ରିପୁର ରାହାସ

କଳି ଯୁଗ ଜନ ଶୁଣି ତରିବେ ଅବଶ୍ୟା ।।୬୪

 

ସୋବର୍ଣ୍ଣ ଚଣ୍ଡିକା ଯୋଗମାୟା ଆଦିଶକ୍ତି

ଅନାମ ସୁମରି ଭଣେ ପାମର ଅଚ୍ୟୁତି ।।୬୫

-o-

 

ଚତୁର୍ଥ ଛାନ୍ଦ

 

ରାହାସ ଭୂଇଁ ତ୍ରିପୁର ବୋଲାଇ । ପିଣ୍ଡରେ ସହସ୍ର ଦଳଟି ଯେହି ।।

ସର୍ବଦା ଲାଗିଛି ତହିଁ ରାହାସ । ଗୋପୀ ଗୋପାଳଙ୍କ ସେ ଥଳେ ବାସ ।।

ରାହାସ ବେଦୀ ଅଛଇ ଯେ

ଅଡ଼ ଦୀର୍ଘତାର ଆହୁଟ ହାତ ଯେ ଉତ୍ସର୍ଗ ଆହୁଟ ହୋଇ ଯେ ।।୧

 

କାଶୀ, ବାରାଣସୀ ବଦରିକା ହିଁ । ହେଙ୍ଗୁଳା, କାମାକ୍ଷା, ଦ୍ଵାରକା ତହିଁ ।।

ଚିତ୍ରକୋଟ ପ୍ରୟାଗ ରାମେଶ୍ଵର । ଅଯୋଧ୍ୟା, ଗୋପ ଯେ ମଥୁରାପୁର ।।

କାଞ୍ଚି, ଗଉତମୀ ଯେତେ ଯେ

ଚୌରାଅଶୀ ଯୁଣ ବୃଦାବନ ଧାମ ତ୍ରିପୁରେ ଛନ୍ତି ଗୋପତଯେ ।।୨

 

ଶିଶୁମାର ଠାବୁ ଶତେ ଯୋଜନ ।।ଗୋପୀକା ମଣ୍ଡୋଳ ତାହାର ନାମ ।।

ମଣି ମଣ୍ଡପଟି ମାଝ ଥଳରେ । ନିତ୍ୟ କୃଷ୍ଣ ବିଜେ ରାଧା ସଂଗରେ ।।

ଏକ ତନୁ ବେନୀ ରୂପ ଯେ

ଅତୁଟ ନୀଳା କେଭେ ହେଁ ନ ତୁଟଇ ଅରୂପ ହୋଇ ସୋରୂପ ଯେ ।।୩

 

ମାଳ ଲମ୍ବାଇଲେ କୀସ ହୋଇବ । ତିଳେକ ଛାପ ଅଂଗରେ ଲେଖିବ ।।

ହିଂସା ଅହଙ୍କାର ବଡ଼ିମା ପଣ । ହୃଦୟ ନିର୍ମଳ ନୋହେ ଯେ ଜନ ।।

ମୁଁ କାର ପଣ ଯେ ବହେ ଯେ

ମାନବ ଜନମ ତା’ର ଅକାରଣ ରାହାସେ ଭାର୍ଜନ ନୋହେ ଯେ ।।୪

 

ବିଷୟା ମଦେ ମଜି ହୋଇଥିବ । ଲୋକଦେଖୀ ହରିନାମ ଗାଇବ ।।

ପରନିନ୍ଦୁକ ଦିହେ ଗର୍ବପଣ । ଗୁରୁ ବଇଷ୍ଣବେ କରେ ଅମାନ୍ୟ ।।

ଅଣ ଗୁରୁଆ ପାଖଣ୍ଡ ଯେ

ଅଭକ୍ଷ ଭକ୍ଷିଣ କହୁଥିବ ଜ୍ଞାନ ପାଇବେ ଦଇବ ଦଣ୍ଡ ଯେ ।।୫

 

ରାହାସ କୀର୍ତ୍ତନେ ଏହୁ ଅବଶ୍ୟ । କୃଷ୍ଣଙ୍କୁ କେମନ୍ତେ କରିବେ ବଶ୍ୟ ।।

ସଦଗୁରୁ ସେବା ଥିବ ଯାହାରି । ଗୁରୁ ପ୍ରସାଦେ ଅଜ୍ଞାଂନ ନିବାରି ।।

ଦେଖିବ ନିଶ୍ଚେ ରାହାସ ଯେ

ଅଜୋତୀ ଜ୍ୟୋତି ସେ ଅରୂପରୁ ରୂପ ନିଶ୍ଚେ ହେବ ପରକାଶ ଯେ ।।୬

 

ଦ୍ଵାପର ଯୁଗେ ଗୋଲକ ବେହାରୀ । ଅଂଶ କଳାରେ ମଂଚେ ଅବତରି ।।

ଦେବକୀ ଉଦରୁ ହୋଇଣ ଜାତ । ଗୋପ ପୁରରେ ରହିଲେ ଗୁପତ ।।

ନନ୍ଦ ରାଜାର ନନ୍ଦନ ଯେ

ଯଶୋଦା ସୁତ ସେ ପ୍ରଭୁ ଗୋପୀନାଥ ଲୀଳା କଲେ ବୃନ୍ଦାବନ ଯେ ।।୭

 

ସୁନନ୍ଦ ନାମେ ଥିଲା ହିଂ ଗୋପାଳ । ଦଶ ଲକ୍ଷ ଗାଭୀ ତାର ଗୁହାଳ ।।

ନନ୍ଦ ରାଜର ସେ ଅଟ ମଇତ୍ର । କୋଳରେ ତାହାର ନ ଥିଲା ସୁତ ।।

ଧନ ଗୋପଲକ୍ଷ୍ମୀ ପୂର୍ଣ୍ଣ ଯେ

ସନ୍ତାନ ବିହୁନେ କଷ୍ଟପାଇ ମନେ ସୁନନ୍ଦ କାଟଇ ଦିନ ଯେ ।।୮

 

ନିତିଦିନ ଆସି ନନ୍ଦ ମନ୍ଦିର । କୃଷ୍ଣଙ୍କୁ ଘେନି ଆପଣା କୋଳର ।।

ଅତି ସିନିହେ କୃଷ୍ଣଙ୍କୁ ଧରିଣ । ନିନ୍ଦା କରଇ ଆପଣା କରମ ।।

ଚିନ୍ତଇ ଆପଣା ମନ ଯେ

ଏପରି କୁମର ମୋହ ପୁରେ ଥିଲେ ଶୋଭା ଦିଶନ୍ତା ଭୂବନ ଯେ ।।୯

 

ସୁନନ୍ଦ ଅନ୍ତର ବେଥାକୁ ଜାଣି । ଦିନେ ବୋଇଲେ ପ୍ରଭୁ ବେଣୁ ପାଣି ।।

ଆହୋ ସୁନନ୍ଦ ଶୁଣ ମୋ ବଚନ । କଳିରେ ତୋ ବାଞ୍ଛା ହେବ ହିଂ ପୂର୍ଣ୍ଣ ।।

ଜନମିବୁ ସେ ଯୁଗରେ ଯେ

ଉତ୍କଳ ଦେଶର ମଧ୍ୟଖଣ୍ଡ ଭୂଇଁ ଗ୍ରାମ ଯେ ତିଳକଣାରେ ଯେ ।।୧୦ 

 

ଅହୋକରଣ କୁଳେ ଜନମିବୁ । ବେଳକେ ରାଜ ସେବାହିଁ କରିବୁ ।।

ଗୋପୀନାଥ ନାମେ ମହାନ୍ତି ସୁତ । ଦୀନବଂଧୁ ନାମ ହେବ ବିଖ୍ୟାତ ।।

ତୋର ନାରୀ ଜମ୍ବୁବତୀ ଯେ

ସେହୁ ବେଳେ ବଣଖଣ୍ଡି ରଣପୁରେ ଜନମିବ ମହାସତୀ ଯେ ।।୧୧

 

ରାଜ କୁଳରେ ହୋଇବ ଜନମ । ପଦୁଆଁ ବୋଲି ହେବ ତାର ନାମ ।।

ଦୀନବନ୍ଧୁ ନାମ ତୋର ହିଁ ହେବ । ପଦୁଆଁ ନାରୀ ତୋ ହାତ ଧରିବ ।।

ବୃଦ୍ଧ କାଳ ହେଲେ ତୋର ଯେ

ମୋହ ତେଜେ ସଖା ସୁଦାମ ଜନ୍ମିବ ପଦ୍ମାବତୀର ଉଦର ଯେ ।।୧୨

 

ଅଗଣି ଅଚ୍ୟୁତି ନାମ ହୋଇବ । ପୂର୍ବ ହେତୁରେ ଜ୍ଞାନ ଉଦେହେବ ।।

ଶ୍ୟାମା ଗୋପୀକା ଅଢ଼ଙ୍ଗ ଦେଶରେ । ଜନମ ହେବ ଭୂପତି ପୁରରେ ।।

ରଘୁରାମ ନୃପବର ଯେ

ତୋହର କନ୍ୟା ଚଂପାବତୀକୁ ଦେବ ଏହୁ ଭବିଷ୍ୟ ବିଚାର ଯେ ।।୧୩

 

ତ୍ରିପୁର ଭୂଇଁ ତିଳକଣା ଗ୍ରାମ । ଥାନ ମାନଙ୍କରେ ସେହି ଉତ୍ତମ ।

ଯଉଁ କାଳେ ବ୍ରହ୍ମା ସୃଷ୍ଟି ସର୍ଜିଲା । ଏହୁ ଭୂମି ଗୋଟା ଗୋପତ କଲା ।।

ଆଦି ଅନନ୍ତ ଯୁଗରେ ଯେ

ଗୋଲକ ବେହାରି ରାହାସ ରଂଚିଲେ ସଖା ସଖୀଙ୍କ ମେଳରେ ଯେ ।।୧୪

 

ସତ୍ୟ ତ୍ରିତୟାରେ ଜଗୁସୋଦର । ନୃସିଂଘ ରଘୁନାଥ କଳେବର ।।

ଦ୍ଵାପର କୃଷ୍ଣ ଚନ୍ଦ୍ର ହେଲାନାମ । ରାହାସ ରଂଚିଲେଟି ଏହୁ ଥାନ ।।

କଳି ଯୁଗ ଶେଷାନ୍ତରେ ଯେ

କଳଙ୍କୀ ରୂପରେ ଅନନ୍ତ ଯୁଗରେ କଳ୍‌କୀ ରାହାସ ଗୁପ୍ତରେ ଯେ ।।୧୫

 

ପ୍ରଭୁ ଆଜ୍ଞାରେ ତ୍ରିପୁରେ ଜନ୍ମିଲି । ପଦ୍ମବନରେ ନିବାସ ହିଁ କଲି ।।

ଗୋପସୁତଙ୍କୁ କରାଇଲି ମେଳ । କଳୀ ପ୍ରଭା ଯହୁଁ ହେଲା ପ୍ରବଳ ।।

କଳି ମାନେବ ତାରଣ ଯେ

ରାହାସ କ୍ରୀତନ କଲିହିଁ ରଚନ ଶିଖାଇଲି ଗୋପ ଗଣେ ଯେ ।।୧୬

 

କଳି ଶେଷାନ୍ତେଣ ମୋହର ଅଂଶ । ଜନମ ହୋଇବେ ରାହାସ ଦାସ ।।

ରାହାସ କ୍ରୀତନନୀଳା ରଂଚିବେ । ଗ୍ରାମ ଦେଶରେ ବାନା ଉଡ଼ାଇବେ ।।

ତ୍ରିପୁର ଭୂମି ମହିମା ଯେ

ଲୀଳା ଚହଟିବ ବାସନା ବାସିବ କେ ବର୍ଣ୍ଣବ ଗୁଣ ସୀମାଯେ ।।୧୭

 

ଗୁପତୁ ଗୁବତ ଏହୁ ରାହାସ । କଳି ଶେଷାନ୍ତେ ହେବ ପରକାଶ ।।

ରାହାସ ଗଣ ଯେ ମୋହର ଅଂଶ । ମହୋଚ୍ଛବେ ମଜି ନିଶି ଦିବସ ।।

ଷୋଳ ମଣ୍ଡୋଳର ଭକ୍ତ ଯେ

ତ୍ରିପୁର ଭୂଇଁରେ ରାହାସ ଦେଖିବେ କହଇ ଦୀନ ଅଚ୍ୟୁତ ଯେ ।।୧୮

-o-

 

ପଞ୍ଚମ ଛାନ୍ଦ

 

ଦ୍ଵାପର ଯୁଗେ ପ୍ରଭୁ ଜଗନ୍ନାଥ । ନର ତନୁରେ ହୋଇଲେ ସମ୍ଭୂତ ।।

ନନ୍ଦ ନନ୍ଦନ୍ଦ କୃଷ୍ଣ ବଂଶୀଧାରୀ । ଗୋପ ମଥୁରା ଯେ ଦ୍ଵାରକା ପୁରୀ ।।

ସଖୀ ଗୋ – ନାନା ଲୀଳା ରଂଚିଲେ

ବୃନ୍ଦାବନରେ ରାହାସ କରିଲେ ।।୧

 

ଗୋପପୁରେ ନିତି ବନସ୍ତେ ଯାଇ । ଗୋବତ୍ସା ପଲ ଚରାନ୍ତି କହ୍ନାଇ ।।

ସଖାଗଣ ସଂଗରେ ବନମାଳୀ । ବାଳେକ ମତେ କରି ନାନା କେଳି ।।

ସଖୀ ଗୋ – ସୁଦାମ ସଖାମୁହିଁ

ସଦାସର୍ବଦା କୃଷ୍ଣ ପାଶେଥାଇ ।।୨

 

ଦିନେ ଏକାନ୍ତେ ପାଶକୁ ରାଇଲେ । ଗହନ ଗୁପତ କଥା କହିଲେ ।।

ତୁମ୍ଭେ ବାରଜଣ ସଂଗତେ ଯିବ । ତ୍ରିପୁର ରାହାସ ନୀଳା ଦେଖିବ ।।

ସଖୀ ଗୋ – ମୁହିଁ କଲି ସନ୍ମତ

ଶ୍ରବଣ ତନୁ ହେଲା ପୁଲୁକିତ ।।୩

 

ସୁବାହୁ, ସୁବଳ, ଦାସ, ସୁଦାମ । ଶ୍ରୀବଚ୍ଛ, ମଧୁ ମଂଗଳ ଶ୍ରୀଦାମ ।।

ସୁରଥ, ସାତୁକି, ସେ ମହାବଳ । ଯାଦେବ ଅଙ୍କୁର ଦ୍ଵାଦଶ ମେଳ ।।

ସଖୀ ଗୋ – ସରବେ ମେଳ ହେଲୁ

କୃଷ୍ଣ ପାରୁଶରେ ଆସି ମିଳିଲୁ ।।୪

 

କୃଷ୍ଣ ଆଜ୍ଞାରେ ଗରୁଡ଼ ଆସିଲା । ବିନୋଇ ହୋଇ ପାଦେ ଓଳଗିଲା ।।

ମନ୍ଦ ହସି ମଦନ ସୁନ୍ଦର । କହିଲେ ଶୁଣ ଆହେ ଖଗବର ।।

ସଖୀ ଗୋ – ଆମ୍ଭଙ୍କୁ ପୃଷ୍ଠେ ନେବୁ

ତ୍ରିପୁର ରାହାସ ଥଳେ ଛାଡ଼ିବୁ ।।୫

 

ସର୍ବେ ଖଗପତି ପୃଷ୍ଠେ ବସନ୍ତେ । ଗଗନ ମାର୍ଗେ ଗମିଲା ତୁରିତେ ।।

ବୃନ୍ଦାବନରୁ ପାଞ୍ଚ ଶତ ଯୁଣ । ପ୍ରବିଶ୍ୟ ହେଲା ଲବଣ ତାଟେଣ ।।

ସଖୀ ଗୋ – ପୃଷ୍ଠରୁ ଓହ୍ଳାଇଲୁ

ଥାନ ଶୋଭାରେ ମୋହିତ ହୋଇଲୁ ।।୬

 

ଶତେ ତପନ ପ୍ରଭା ପ୍ରକାଶଇ । ଧୀର ସମୀର ମଳୟ ବହଇ ।।

ତ୍ରିପୁର ଭୂଇଂ ରାହାସ ମଣ୍ଡୋଳ । ଚଉଦିଗ ରୁନ୍ଧା ଅତି ପ୍ରବଳ ।।

ସଖୀ ଗୋ – ଦ୍ଵାରେ କ ଯେ ଦେଖିଲୁ

ବହନ ହୋଇ ସେଠାବେ ମିଳିଲୁ ।।୭

 

ଦେବ ପୁରୁଷ ଦ୍ଵାରକୁ ଜଗିଛି । ଶତେ ରବି ଅଂଗ ପ୍ରଭା ଦିଶୁଛି ।।

ମାନେବ ବିଷ୍ଣୁ ବୋଲି ସେ ଜାଣିଲା । ଆମ୍ଭଙ୍କୁ ସେହୁ ପଥ ଛାଡ଼ି ଦେଲା ।।

ସଖୀ ଗୋ – ଭିତରକୁ ହିଁ ଗଲୁ

ରାଜୁସି କନ୍ୟାଏ ତହିଁ ଦେଖିଲୁ ।।୮

 

ଦେଖନ୍ତେ ବାଳୀ ଆମ୍ଭଙ୍କୁ ବେଢ଼ିଲେ । ଆରେରେ ମାନବା ବୋଲି ବଇଲେ ।।

ଆମ୍ଭେ ରାଜୁସିନେ ତୁମ୍ଭେ ମନିଷ । ଅଗମ୍ୟ ପୁରେ କିଂପା ପରବେଶ ।।

ସଖୀ ଗୋ – ତାଙ୍କ ପାଏ ପଡ଼ିଣ

କହିଲୁ ସର୍ବେ ବୀନୋଇ ହୋଇଣ ।।୯

 

ସେ ପୁର ପ୍ରଭା ଅତି ଅଦଭୂତ । ଗରୁଡ଼ ତହିଁ ହେଲା ମୂର୍ଚ୍ଛାଗତ ।।

ଆମ୍ଭଙ୍କୁ କନ୍ୟାଏ ସଂଗରେ ନେଲେ । ପୁରଶୋଭା ବୁଲାଇ ଦେଖାଇଲେ ।।

ସଖୀ ଗୋ – ଧାଡ଼ି ଧାଡ଼ିରେ ଘର

ମାଣିକ୍ୟ ଖମ୍ବ ରୁଅ ରଜତର ।।୧୦

 

ପୋଏଳା ବଢ଼ା ସୋବର୍ଣ୍ଣ ଛାଏଣି । ରଜତ ରଜୁରେ ବଡ଼ା ବାନ୍ଧେଣି ।।

ମୋକତା ମାଳ ମାଳ ହିଁ ଝୁଲୁଛି । ସୂର୍ଯ୍ୟକାନ୍ତ ମଣି ଦୀପ ଜଳୁଛି ।।

ସଖୀ ଗୋ – ସୋବର୍ଣ୍ଣର ପଲଙ୍କ

ତୁଳିତଳ୍ପ ଶେଜ ଦିଶେ ଝଲକ ।।୧୧

 

କେଉଁ ପୁରେ କୃଷ୍ଣ ଖେଳନ୍ତି ଦୋଳି । କେଉଁଠି ଉପବନେ ଛନ୍ତି ବୁଲି ।।

ରାଜ ସଭାରେ କାହିଁ ସିଂହାସନେ । ବିଚାର କରୁଛନ୍ତି ରାଜ ଧର୍ମେ ।।

ସଖୀ ଗୋ – କାହିଁ ଖେଡ଼ନ୍ତି ପଶା

କେଉଁ ପୁରେ ଛନ୍ତି ଗହଣେ ଯୋଷା ।।୧୨

 

ବ୍ରାହ୍ମଣ, ବୈଷ୍ଣବ, ମେଳରେ କାହିଁ । ହାତଯୋଡ଼ି ଆଗରେ ଉଭା ହୋଇ ।।

ଅତିଥି ସେବା କରୁଛନ୍ତି ପୁଣି । କାହିଁ ମଣୋହି ଥାନେ ବେଣୁପାଣି ।।

ସଖୀ ଗୋ – କେଉଁଠି ବସିଛନ୍ତି

ଅଷ୍ଟପାଟବଂଶୀ ବେଢ଼ି ଅଛନ୍ତି ।।୧୩

 

କୃଷ୍ଣ ସଂଗତେ ବାର ଗୋପଥିଲୁ । ଚତୁର୍ଭୂଜ କୃଷ୍ଣ ଦର୍ଶନ କଲୁ ।।

ସେପୁର ଭିତରେ ଯାଆନ୍ତେ ବାହି । ଦ୍ଵୀତୀୟ ଦ୍ଵାରେ ମିଳିଲୁଟି ଯାଇ ।।

ସଖୀ ଗୋ – ତହିଁ ଏକ ତପସ୍ଵୀ

ଖଡ଼ଗ ହାତେ ଜଗିଅଛି ବସି ।।୧୪

 

ତପୀ ପାଦରେ ପରିଲୁ ପ୍ରଣାମ । ଆମ୍ଭରେ ସେହୁ ହୋଅନ୍ତେ ପ୍ରସନ୍ନ ।।

ଦ୍ଵାର ଛାଡ଼ନ୍ତେ ଭିତରେ ପଶିଲୁ । ଦେବ କନ୍ୟାଙ୍କୁ ଦରଶନ କଲୁ ।।

ସଖୀ ଗୋ – ସେହୁ କନ୍ୟାଙ୍କ ମେଳେ

ଛଡ଼ ଭୂଜ କୃଷ୍ଣ ଦେଖିଲୁ ଡୋଳେ ।।୧୫

 

ସେ ପୁର ଶୋଭା ଅତି ମନୋହର । ବର୍ଣ୍ଣିବା ପାଇଁ ଭାଷା ନାହିଁ ମୋର ।।

ସୋର୍ଗ ହୁଁ ଶୋଭଇ ସହସ୍ରେ ଗୁଣ । ସହସ୍ରେ ଦିନକରର କିରଣ ।।

ସଖୀ ଗୋ – ସେ ପୁର ଭେଦିଗଲୁ

ତୃତୀୟ ଦୁଆରେ ଯାଇ ମିଳିଲୁ ।।୧୬

 

ସିଦ୍ଧ ଜଣେକ ଦୁଆର ଆବୋରି । ବସିଛି ହସ୍ତରେ ମୁଦ୍‌ଗର ଧରି ।।

ଭସ୍ମଲେପନ ପୃଥୁଳ ଶରୀର । ବୀରବନ୍ଧ କଉପୀନ କଟୀରେ ।।

ସଖୀ ଗୋ – ରଂଗ ବର୍ଣ୍ଣ ନୟନ

ସତେକି ବାହାରୁଛି ହୁତାସନ ।।୧୭

 

ପାଦେ ପଡ଼ି ଗଡ଼ଘାଲି ଶୋଇଲୁ । ବହୁତ ସ୍ତୁତି ଶୋଳକ ହିଁ କଲୁ ।।

କରୁଣା କରି ସେ ଆଡ଼ ହୋଅନ୍ତେ । ଭିତରକୁ ଗମିଲୁ ସମସ୍ତେ ।।

ସଖୀ ଗୋ – ଋକ୍ଷୀ କନ୍ୟାଏ ତହିଁ

ସଂଖ୍ୟା କରିବାକୁ ଶକତି ନାହିଁ ।।୧୮

 

ସେହୁ ଥାନଗୋଟି ଅତି ବିଚିତ୍ର । ପତ୍ରକୁଡ଼ିଆ ତହିଁ ଅପ୍ରମିତ ।।

ତେଜ ପ୍ରକାଶେ ସହସ୍ରେ ଅରୁଣ । ଚନ୍ଦ୍ର ସୂର୍ଯ୍ୟବାଇ ନଥାଇ ପୁଣ ।।

ସଖୀ ଗୋ – ଯୁବତୀଙ୍କ ମେଳରେ

କୃଷ୍ଣ ମଜିଛନ୍ତି ହାସ ରସରେ ।।୧୯

 

କେବଣ ମଢ଼ିଆରେ ମହାବାହୁ । ଯୋଗ ସମାଧୀ ତପ ଯାହାକହୁ ।।

ସୋବର୍ଣ୍ଣ ଥାଳିରେ କଉଁ ଥାନରେ । ଫଳମୂଳ ଭୁଂଜନ୍ତି ଆନନ୍ଦରେ ।।

ସଖୀ ଗୋ – କାହିଁ ଋଷି ମେଳରେ

ଅଗ୍ନିକୁଣ୍ଡେ ଘୃତ ଦ୍ୟନ୍ତି ସଧୀରେ ।।୨୦

 

ଦରଶନ କରି ପଥ ବାହିଲୁ । ଚତୃଥ ଦ୍ଵାରର ଯାଇ ମିଳିଲୁ ।।

ଗୋପାଳ ଯୋଅ ବେଢ଼ି ରହିଛନ୍ତି । ହାତେ ସର୍ବେ ଲଉଡ଼ୀ ଧରିଛନ୍ତି ।।

ସଖୀ ଗୋ – ବ୍ରହ୍ମ ଗୋପାଳ ବେସ

ଦଶ ସହସ୍ର ରବି ପରକାଶ ।।୨୧

 

ବ୍ରହ୍ମ ଗୋପାଳ ଦ୍ଵାରୀକୁ ଦେଖନ୍ତେ । ଥକିତ ହୋଇଣ ଚାହିଁଲୁ ନେତ୍ରେ ।।

ଯାଦେବ ପ୍ରାଏ ସ୍ଵରୂପ ତାହାର । ସଖାଏ ଦେଖନ୍ତି ହେଲୁ କାତର ।।

ସଖୀ ଗୋ – ପ୍ରଭୁ ନନ୍ଦ ନନ୍ଦନ

ଦ୍ଵାରୀ ପାଦତଳେ କଲେ ପ୍ରଣାମ ।।୨୨

 

ଆମ୍ଭେ ସରବେ ପ୍ରଣମ୍ବିତ ହେଲୁ । ନାନା ପ୍ରକାରେ ଭଣାଇ କହିଲୁ ।।

ତହୁଂ ସେ ଗୋପାଳ ପଥ ଛାଡ଼ିଲା । ଭିତରେ ପୁର ଶୋଭା ଦୃଶ ହେଲା ।।

ସଖୀ ଗୋ – ଝଲକିଲା ନୟନ

ମହାଭାବ ହେଲା ଅଂଗ କଂପନ ।।୨୩

 

ସେପୁର ତେଜ ଅତି ଅଲୋକିତ । ଦଶ ଲକ୍ଷ ତପନ କି ଉଦିତ ।।

ଗୋପ କନ୍ୟା ଗଣ ତହିଁ ଅଛନ୍ତି । ଗୋପୀଳମାନେ ପୁରି ରହିଛନ୍ତି ।।

ସଖୀ ଗୋ – ବହୁଅଛି ଜମୁନା

ବନେ ବଚ୍ଛା ଚରାନ୍ତି ନନ୍ଦ କାହ୍ନା ।।୨୪

 

ହାଥେ ମୁରଲୀ ମସ୍ତକରେ ଚୂଳ । ସଂଗତେ ଅଛନ୍ତି ସେ କାମପାଳ ।।

ସଖା ଗ୍ରହଣେ ତୋଟାରେ ବସିଣ । ବଣ ଭୋଜି କରନ୍ତି ଏକାନ୍ତେଣ ।।

ସଖୀ ଗୋ – କଦମ୍ବ ତରୁ ମୂଳେ

ବ୍ରଜବାଳୀ ଗହଣେ ରାଧାକୋଳେ ।।୨୫

 

କେଉଁଠି ଟେକିଛନ୍ତି ଗୋବର୍ଦ୍ଧନ । କଉଁଥାନରେ କାଳୀୟ ଦଳନ ।।

ଲଉଡ଼ୀ ନୃତ୍ୟ ସଖାଙ୍କ ମେଳରେ । ସଖାମେଳେ ଖେଡ଼ୁଛନ୍ତି ଦାଣ୍ଡରେ ।।

ସଖୀ ଗୋ – କଦମ୍ବ ଡାଳେ ବସି

ଗୋପୀ ବସ୍ତ୍ର ହରି ବଜାନ୍ତି ବଂଶୀ ।।୨୬

 

ଯମୁନା ନୀରେ ପୁଣି ଜଳ କେଳୀ । ବଣରୁ କଉଁଠି ଖାଆନ୍ତି କୋଳି ।।

ବୁଢ଼ାନାଉରୀ ବେଶେ ନଦୀଘାଟେ । ଗୋପାଲୁଣୀଙ୍କୁ କହନ୍ତି ଆକଟେ ।।

ସଖୀ ଗୋ – ରାଧିକାଙ୍କ ସଂଗରେ

ରହସ୍ୟ କରନ୍ତି ନଦୀ ପଥରେ ।।୨୭

 

ନନ୍ଦ କୋଳରେ କାହିଁ ବସିଛନ୍ତି । କେବଣଥାନେ ରୋଦନ କରନ୍ତି ।।

କାହିଁ ବା ପ୍ରଭୁ ନାରୀ ଭେସହୋଇ । ସଖୀ ହୋଇଣ ରାଧାପୁରେ ଥାଇ ।।

ସଖୀ ଗୋ – ଦେଖି ହେଲୁ ଚକିତ

ନିତ୍ୟ କୃଷ୍ଣ ନୀଳା ଅତି ଅଦ୍ଭୂତ ।।୨୮

 

ରାହାସ ହେଉଛି କୁଂଜ କାନନେ । ଦେଖିଲୁ ପୁଣି ପ୍ରତ୍ୟକ୍ଷେ ନୟନେ ।।

ଆଚମ୍ବିତରେ କରି ଦରଶନ । ସରବେ ପଥ ବାହିଗଲୁ ପୁଣ ।।

ସଖୀ ଗୋ – ପଞ୍ଚମ ଦ୍ଵାରେ ହେଲୁ

ନିତ୍ୟ ସଖା ସୁଦାମକୁ ଦେଖିଲୁ ।।୨୯

 

ବାମ ହାତେ ଧରିଛି ସେ ତ୍ରିଶୂଳ । ବେଢ଼ିଛନ୍ତି ମହାଯୋଦ୍ଧା ଗୋପାଳ ।।

ଶ୍ୟାମ ବର୍ଣ୍ଣ ତନୁ ଅପୂର୍ବ ଭେସ । ତ୍ରିକଚ୍ଛି ମାରି ପିନ୍ଧିଅଛି ବାସ ।।

ସଖୀ ଗୋ – ମସ୍ତକ ଶୋହେ ଚୂଳ

ଗୁଡ଼ାଇଛି ସେହୁ ପୁଷ୍ୟର ମାଳ ।।୩୦

 

ରୁଂଜ ଗୁଂଜ ତୁଳୁସାମାଳି ଗଲେ । ଲମ୍ବିଅଛଇ ସେ ହୃଦୟଥଳେ ।।

ଦକ୍ଷିଣ କାନ୍ଧେ ଶୋଭଇ ପଇତା । ଘଣ୍ଟି ଘାଗୁଡ଼ି କଟୀରେ ଶୋଭିତା ।।

ସଖୀ ଗୋ – ବେନି କର୍ଣ୍ଣ କୁଣ୍ଡଳ

ମୟୂର ପୁଚ୍ଛରେ ଶୋଭଇ ଚୂଳ ।।୩୧

 

ଅଂଗେ ଦ୍ଵାଦଶ ତିଳେକ ଲଗାଇ । ଗୋରଚନା ବିନ୍ଦୁ ଭୁରୁରେ ଦେଇ ।।

ସିଂଘା ଏକ କଟୀରେ ଝୁଲୁଅଛି । ରଂଗନୟନେ କଜ୍ଵଳ ପିନ୍ଧିଛି ।।

ସଖୀ ଗୋ – ସେହୁ ପଥ ରୁନ୍ଧିଲା

ମଧୁର ସ୍ଵରେ ବଚନ ବଇଲା ।।୩୨

 

ଆରେ ମାନେବା କେମନ୍ତେ ଅଇଲା । ଅଗମ୍ୟ ପୁର ପରବେଶ ହେଲ ।।

ଆମ୍ଭେ ସରବେ ଯୋଡ଼ି ଶିରେ କର । ପ୍ରଣମ୍ବିତ ହେଲୁ ତାର ପୟର ।।
ସଖୀ ଗୋ – କହନ୍ତି ବେଣୁ ପାଣି

ଆମ୍ଭେ ନନ୍ଦସୁତ ମଂଚେ ଜନମି ।।୩୩

 

ଏମାନେ ଦ୍ଵାଦଶ ସଖା ମୋହର । ପୂର୍ବ ହେତୁ ହୋନ୍ତେ ମନର ।।

ତ୍ରିପୁର ରାହାସ ନେତ୍ରେ ଦେଖିବୁ । ଯଉଁଣ ଭାବେ କାରେଣୀ ହୋଇବୁ ।।

ସଖୀ ଗୋ – ବୋଲେ ନିତ୍ୟ ସୁଦାମ

ରାହାସ ଥଳ ଏଥୁ ବେନି ଯୁଣ ।।୩୪

 

ତୁମ୍ଭଙ୍କୁ ଏବେ ମୁହିଁ ପରକ୍ଷିବି । ସନ୍ତୋଷ ହେଲେ ପଥକୁ ଛାଡ଼ିବି ।।

ନୋହିଲେ ବାହୁଡ଼ାଇ ଦେବି ମୁହିଁ । ସତ୍ୟ ସତ୍ୟ ମୋ ବଚନ ଅଟଇ ।।

ସଖୀ ଗୋ – ଶୁଣି ନିଷ୍ଠା ବଚନ

ସଦଗୁରୁ ପାଦ କଲୁ ସୋରଣ ।।୩୫

 

ବେଲ ମାଣିଆରେ ଅଛୁତି ଦାସ । ଗୋପତେ କହେ ତ୍ରିପୁର ରାହାସ ।।

ରାହାସ ଗଣ ଶ୍ରବଣେ ଢରିବ । କଳଙ୍କୀ ନୀଳା ଦ୍ରଶନ କରିବ ।। 

ସଖୀ ଗୋ – ଏ ତ୍ରିପୁର ରାହାସ

କହଇ ପାମର ଅଚ୍ୟୁତି ଦାସ ।।୩୬

-o-

 

ଷଷ୍ଠ ଛାନ୍ଦ

 

ତ୍ରିପୁର ଭୂଇଁର ଯଉଁ ରାହାସ । ଶୁଣ ହୋ ସର୍ବେ ରାହାସର ଦାସ ।।

ପଞ୍ଚୁ ଦୁଆରେ ନିତ୍ୟର ଗୋପାଳ । ସଖାମାନଙ୍କର ତହିଁ ଗହଳ ।।

ସଖୀ ଗୋ – କହେ ନିତ୍ୟ ସୁଦାମ

କହିବ ମୋହରେ ଗୋପାଳ ଜନ୍ମ ।।୧

 

ହୃଦରେ ଯଉଁ ମାଳ ଲମ୍ବାଇଛ । ମସ୍ତକ ଚୂଳେ ମୟୂରର ପୁଚ୍ଛ ।।

ଶଂଖ ସିଂଘା କାହିଁ ହେଲା ଜନମ । ପଇତାର ଅଛି ଯଉଁ ମରମ ।।

ସଖୀ ଗୋ – ମନ୍ତ୍ର ମୁଖେ ବୋଲୁଛ

ମନ୍ତ୍ର କାହୁଂ ଜାତ କହ ପ୍ରତ୍ୟକ୍ଳି ।।୨

 

ଚଉବେଦର କହିବ ବୃତାନ୍ତ । ଗାଇତିରୀ କାହିଁ ହୋଇଛି ଜାତ ।।

ଖୋଳ କରତାଳ ପୁଣି କାହାଳୀ । ଘଣ୍ଟ ଘଣ୍ଟି ଆବର ରାମତାଳି ।।

ସଖୀ ଗୋ – ଯେତେକ ବାଦ୍ୟମାନ

କାହୁଂ ପାଇ କରି ଅଛି ଧାରଣ ।।୩

 

କଉଁ ଭଜନ ତୁମ୍ଭେ ଭଜୁଅଛ । ଭଜନ ସୂତ୍ରକୁ କାହୁଂ ଶିଖିଛ ।।

ଠିକ ଠିକ୍ କରି କହିବ ତୁମ୍ଭେ । ତେବେ ପଥକୁ ଛାଡ଼ିଦେବୁ ଆମ୍ଭେ ।।

ସଖୀ ଗୋ – ଏହୁ ଅତି ଗହନ

ସଦଗୁରୁ ବିନୁ ନ ଜାଣେଆନ ।।୪

 

ଗୁରୁ ବୋଲି ଯଉଁ ବେନି ଅକ୍ଷର । ପ୍ରତେକରି କହ ମୋର ଆଗର ।।

ମନ୍ତ୍ର ଯନ୍ତ୍ର କାହିଁରୁ ଉତପନ । କଉଁ ଗୁରୁ ଠାରୁ ପାଇଛ ଜ୍ଞାନ ।।

ସଖୀ ଗୋ – ଶୁଣି ଏମନ୍ତ ବାଣୀ

ବାରସଖା କାତର ହେଲୁ ଶୁଣି ।।୫

 

ତହୁଂ କହ୍ନାଇ ଶିରେ ଯୋଡ଼ିକର । ମଧୁର ବଚନେ କହେ ଉତ୍ତର ।।

ମଂଚର ମାନେବ ଆମ୍ଭେଟି ଛାର । ସୁଦାମ ସଖା କହିବ ସତ୍ଵର ।।

ସଖୀ ଗୋ – ଆମ୍ଭେ ହେଲୁ ଆନନ୍ଦ

ଓଳଗିଲୁ ତହିଁ ଦୁଆରି ପାଦ ।।୬

 

କର ଯୋଡ଼ି ବାଇଲୁଟି ବଚନ । ଯାହା ପୁଚ୍ଛିଲ କରହୋ ଶ୍ରବଣ ।।

ଆଦି ଅନନ୍ତ ଯୁଗେ ନାରାୟଣ । ଋଷି ତନୁରେ ମଂଚେ ଉତୁପନ ।।

ସଖୀ ଗୋ – ପ୍ରଭୁଙ୍କ କଳ୍ପଣାରୁ

ବୃକ୍ଷେକ ଜାତ ତ୍ରିପୁରା ଅଂଶରୁ ।।୭

 

ନୀଳଗିରିରେ ସେ ବୃକ୍ଷ ହୋଇଲା । ତୁଳୁସା ବୋଲି ନାମବୋଲାଇଲା ।।

ସେ ବୃକ୍ଷ ପଲ୍ଵବ ବିଷ୍ଣୁ ଶିରରେ । ଧାରଣ କଲେ ହରଷ ମନରେ ।।

ସଖୀ ଗୋ – ସେହୁ ଅତି ପବିତ୍ର

ବୃକ୍ଷର ମହିମା କେକରେ ବେକ୍ତ ।।୮

 

ସତ୍ୟ ଯୁଗରେ ବ୍ରହ୍ମା ବିଷ୍ଣୁହର । ଆବର ଯେତେ ଅଛନ୍ତି ଅମର ।।

ସେ ବୃକ୍ଷ ପତ୍ର ଶିରରେ ଦେଇଣ । ନାରଦ ଆଦି ଯେତେ ତପୀଗଣ ।।

ସଖୀ ଗୋ – ବୃକ୍ଷ ମହିମା ଜାଣି

ସେବାକଲେ ବୃକ୍ଷ ମୂଳରେପୁଣି ।।୯

 

କାଳାନ୍ତେ ସେହୁ ବୃଚ୍ଛ ଗୋଟିମଲା । ତହୁଂ ବେଦବର ତାହାକୁ ନେଲା ।।

ବୃକ୍ଷକୁ ଛେଦିକଲେ ଖଣ୍ଡ ଖଣ୍ଡ । ବିଷ୍ଣୁ ଛିଦ୍ର କଲେ ତା’ ମଧ୍ୟ ପିଣ୍ଡ ।।

ସଖୀ ଗୋ – ଦେବ ଶ୍ରୀ ପଞ୍ଚାନନ

ଡୋର ଭରିଲେକ ଛିଦ୍ର ମଧ୍ୟେଣ ।।୧୦

 

ଶତ ଅଷ୍ଟ ଖଣ୍ଡ ଗୁନ୍ଥି ସତ୍ଵର । ଆନନ୍ଦେ ପିନ୍ଧି ଆପଣା ଗଳାର ।।

ବ୍ରହ୍ମାଙ୍କୁ ପୁଣି ମାଳ ଏକଦେଲେ । ବିଷ୍ଣୁ ଗଳାରେ ପୁଣି ପିନ୍ଧାଇଲେ ।।

ସଖୀ ଗୋ – କଲେଟି ଯୋଗଧ୍ୟାନ

ଦ୍ରଶନ କଲେକ ପରମ ବ୍ରହ୍ମ ।।୧୧

 

ତହୁଁ ବେଦପତି ଆନନ୍ଦ ହୋଇ । କହନ୍ତି ଅମର ଗଣଙ୍କୁ ଚାହିଁ ।।

ଯଉଁ ଜନ ଏହା ଅଂଗେ ବହିବ । ଗଳାରେ ମାଳି କରି ଲମ୍ବାଇବ ।।

ସଖୀ ଗୋ – ମହାନିତ୍ୟର ରସ

ସର୍ବପାପ ଚାପି ହେବ ବିନାଶ ।।୧୨

 

ବିଷ୍ଣୁ ହିଁ ତହିଁ କହିଲେ ବଚନ । ତୁଳସୀ ମାଳ ବହିବ ଯେ ଜନ ।।

ଅନ୍ତେଣ ବଇକୁଣ୍ଠରେ ବସିବ । ବେଳକୁ ରାହାସ ସେହୁ ଦେଖିବ ।।

ସଖୀ ଗୋ – ଯୁଗେ ଯୁଗେ ବିଖ୍ୟାତ

ଭଗତ ଜନେ ହୋଇବ ମୋକତ ।।୧୩

 

ସଦାଶିବ ଗୁରୁଦେବ ଆଚାର । ତୁଳୁସା ଦେଲେ ଆମ୍ଭର ହସ୍ତର ।।

ସର୍ବେ ତୁଲୁସା ମାଳି ପକାଇଛୁ । ତ୍ରିପୁର ରାସ ଦ୍ରଶନେ ଆସିଛୁ ।। 

ସଖୀ ଗୋ – ମହାନିତ୍ୟରୁ ଜାତ

ରାହାସ ରଂଚଇ ଦୀନ ଅଚ୍ୟୁତ ।।୧୪

-o-

 

ସପ୍ତମ ଛାନ୍ଦ

 

ଶଂଖର ବୃତାନ୍ତ କହୁଛି ଶୁଣ । ସତ୍ୟ ଯୁଗର କଥା ଯାହା ପୁଣ ।।

ଦନୁଜ ବୀର ନାମ ଶଂଖାସୁର । ବେଦ ପୋଥି ହରିନେଲା ବିଧିର ।।

ସୁଜନେ – ବ୍ରହ୍ମା ହୋଇ କାତର

ସୋମରଣା କଲେ ଶ୍ରୀ ନିରାକାର ।।୧

 

ବ୍ରହ୍ମାଙ୍କ ସ୍ତୁତିରେ ଶ୍ରୀଜଗନ୍ନାଥ । ମୀନ ଅବତାର ହେଲେ ତୁରିତ ।।

ଶଂଖାସୁରକୁ କଲେକ ନିଧନ । ବେଦ ଉଦ୍ଧାରି ପ୍ରଭୁ ନିରଂଜନ ।।

ସୁଜନେ – ମୃତ ପିଣ୍ଡ ତାହାର

ଶଂଖ ବୋଲି ହେଲା ନାମ ପ୍ରଚାର ।।୨

 

ମୁଖେ ଦେଇଣ ପ୍ରଭୁ ବଜାଇଲେ । ଆପଣା କରେ ସର୍ବଦା ଧରିଲେ ।।

ଯେଣୁ ଆମ୍ଭେ ପ୍ରଭୁର ନିଜ ଅଂଶ । ସରବେଟି ବ୍ରହ୍ମ ଗୋପାଳ ଭେସ ।।

ସୁଜନେ – ତେଣୁ ଶଂକ ଧରିଛୁ

ମହୋଚ୍ଛବରେ ପୁଣି ବଜାଉଛୁ ।।୩

 

ଆଦି ଅନନ୍ତ ଯୁଗର ବୃତାନ୍ତ । ତପସାଧିବା ଇଚ୍ଛି ଚଉପାଥ ।।

ଚିତ୍ରଗଂଗା ତୀର ଗହନ ବନ । ତପସ୍ୟା କଲେ ଆସି ଏକାନ୍ତେଣ ।।

ସୁଜନେ – କମଣ୍ଡଳୁରେ ନୀର

କୁଶ ବିଡ଼ାଏକ ରଖି ପାଶର ।।୪

 

ଅନନ୍ତ କ୍ଷେତ୍ର ସେହୁ ଗୁପ୍ତଥାନ । କପିଳା ଚରୁଥିଲା ପାରୁଶେଣ ।।

ବ୍ରହ୍ମାଙ୍କ କୁଶ ଯହୁଂ ସେ ଦେଖିଲା । ଆହାର ପାଇଁ ମୁଖରେ ଭରିଲା ।।

ସୁଜନେ – ଦେଖିଲେ ବେଦବର

ଶିଂଗ ହାଥେ ଧରିଲେକ ସତ୍ଵର ।।୫

 

ମୁଖରୁ କୁଶ ବିଡ଼ାଛଡ଼ାବନ୍ତେ । ଶିଂଗ ଛିଡ଼ି ରହିଲା ନିଜ ହାଥେ ।।

ଦେଖିଣ ବ୍ରହ୍ମା ହୋଇଲେ ବିକଳ । ପଡ଼ିଲେକ କପିଳା ପାଦତଳ ।।

ସୁଜନେ – କପିଳା ତୋଷ ହୋଇ

ବାଦ୍ୟ ନିର୍ମାଣିବୁ ଏଥିରେ ତୁହି ।।୬

 

ତହୁଂ ବ୍ରହ୍ମା ବିଶ୍ଵକ୍ରମା ରାଇଣ । ବାଦ୍ୟ ଏକ କରାଇଲେ ନିର୍ମାଣ ।।

ସିଂଘା ବୋଲିଣ ନାମ ତାର ଦେଲେ । ସଦାଶିବଙ୍କୁ ତାହା ସଅଁପିଲେ ।।

ସୁଜନେ – ପ୍ରଭୁ କୈଳାସ ପତି

ମୁଖେ ଦେଇ ସିଂଘା ପୁଂଙ୍କନ୍ତିନିତି ।।୭

 

ସଦାଶିବ ଯେଣୁ ଗୁରୁ ଆମ୍ଭର । ଶିଂଘା ଦେଇଛନ୍ତି ଆମ୍ଭ ହାଥର ।।

ତେଣୁ ଯତନେ ପାଶେ ରଖିଥାଉ । ଆନନ୍ଦ ମନେ ସୁସ୍ଵରରେ ବାଉ ।।

ସୁଜନେ – ଗୁରୁ କହିଲେ ମନ୍ତ୍ର

ମନ୍ତ୍ର ନଜାଣିଲେ ନୋହେ ସିଦ୍ଧାନ୍ତ ।।୮

 

ଯଉଁକାଳେ ସୃଷ୍ଟିସର୍ଜନା ହେଲା । ବେଦବର ଯେ ସୃଷ୍ଟିକୁ ସର୍ଜିଲା ।।

ତାହାର ଅଟଇ ଚଉ ବଦନ । ଦକ୍ଷିଣ ମୁଖର ବାମ ନୟନ ।।
ସୁଜନେ – ଲୋତେକ ଯେ ଖସିଲା

ଅପୂର୍ବ ପକ୍ଷୀ ସ୍ୱରୂପ ହୋଇଲା ।।୯

 

ମୟୂର ବୋଲି ହେଲା ତାର ନାମ । ବିଷ୍ଣୁ ଦେଖି ଶ୍ରଦ୍ଧା ବହିଲେ ମନ ।।

ସେ ପକ୍ଷୀକୁ ତେଣୁ ସଂଗରେ ନେଲେ । ବଇକୁଣ୍ଠପୁରେ ନେଇ ରଖିଲେ ।।

ସୁଜନେ – ଦିନେକ ପକ୍ଷୀବର

ପୁଚ୍ଛ ଛାଡ଼ିଦ୍ୟନ୍ତେ ଖସିଲା ପର ।।୧୦

 

ସେ ପୁଚ୍ଛ ଗୋଟି ଅତି ଶୋଭାବନ । ଧରିଣ ଶ୍ରୀହସ୍ତେ ଆନନ୍ଦ ମନ ।।

ଏ ବେଳେ ଡମ୍ବରୁ ନାଦ ଶୁଭିଲା । ସିଂଘା ଶବଦେ ଗଗନ ପୁରିଲା ।।

ସୁଜନେ – ସେ ପ୍ରଭୁ ନାରାୟଣ

ଜାଣିଲେ ବିଜେ କଲେ ପଞ୍ଚାନନ ।।୧୧

 

ପାଦ୍ୟ ଅର୍ଘ୍ୟ ଦେଇ ପୂଜିଚରଣ । ବସାଇଲେ ଦେଇ ଦିବ୍ୟ ଆସନ ।।

ଶୂଳୀ ସେଠାବେ ଶିଖି ପୁଚ୍ଛଦେଖି । ସଂଗତେ ନେଲେ ମନେ ହୋଇସୁଖୀ ।।

ସୁଜନେ – ଆପଣା ପୁରେ ଗଲେ

ଆପଣା ଜଟାରେ ତହିଁ ଖଂଜିଲେ ।।୧୨

 

ଦିନେ ପ୍ରବେଶିଲେ ଗୋଲକପୁର । ଦରଶନ କଲେ ଶ୍ରୀବେଣୁଧର ।।

ପ୍ରଭୁପାଦରେ ହୋଇ ନିଉଛାଳି । ଚୂଳରେ ପୁଚ୍ଛ ଖୋସିଲେକ ଶୂଳି ।।

ସୁଜନେ – ପ୍ରଭୁ ଗ୍ରହଣ କଲେ

ସର୍ବଦା ଆପଣା ଚୂଳେ ଖୋସିଲେ ।।୧୩

 

ଯେଣୁ ସଦାଶିବ ଗୁରୁ ଆମ୍ଭର । ତେଣୁ ଜାଣିଲୁ ଏହାର ବେଭାର ।।

ମଂଚପୁରେ କୃଷ୍ଣ ହୋଇଣ ଜାତ । ଲୀଳା ରଂଚନା କଲେ ଅପ୍ରମିତ ।।

ସୁଜନେ – ଆମ୍ଭେ ଅଂଶ କଳାରେ

ଜନମି ଖେଳିଲୁ କୃଷ୍ଣ ସଂଗରେ ।।୧୪

 

ବ୍ରହ୍ମ ଗୋପାଳ ଭେସକୁ ଧରିଲୁ । ମୟୂର ପୁଚ୍ଛ ଚୂଳରେ ଖୋସିଲୁ ।।

ନିତ୍ୟ ଗୋଲକରୁ ଗୋପାଳେ ଜାତ । ବ୍ରହ୍ମ ନିନ୍ଦିନୀ ଆମ୍ଭ ଆଦିମାତ ।।

ସୁଜନେ – ସେହି ବଂଶେ ଜନମି

ଗୋପାଳ ବୋଲିଣ ଜଗତେ ଭଣି ।।୧୫

 

ପଇତା ଜନମ କହିବି ଶୁଣ । ବ୍ରହ୍ମା ଆଜ୍ଞାରେ ବୃକ୍ଷେକ ଜନମ ।।

ସେ ବୃକ୍ଷରେ ଯହୁଂ ପୁଷ୍ୟ ଫୁଟିଲା । କିଛୁ ଦିବସ ଅନ୍ତେ ଫଳହେଲା ।।

ସୁଜନେ – ବିଷ୍ଣୁଙ୍କର ବଚନେ

ଫଳ ପାଚିଲା ତହିଁ ତତକ୍ଷଣେ ।।୧୬

 

ସେ ଫଳ ଈଶ୍ଵର ଆଣିଲେ ତୋଳି । ସୂତା ବନ୍ଦିଲେ ପର୍ବତ ଦୁଲାଳୀ ।।

ନବ ଖିଅରେ ଦଉଡ଼ି ବଳିଲେ । ସପ୍ତ ବିଂଶ ହାତ ପ୍ରମାଣ କଲେ ।।

ସୁଜନେ – ତିନି ଘେରା ବେଢ଼ାଇ 

ବ୍ରହ୍ମା ଗଣ୍ଠି କଲେ ହରଷ ହୋଇ ।।୧୭

 

ତିନି ଖଣ୍ଡେ ନବଖିଅ କରିଣ । ପଇତା ବୋଲି ଦିଲେ ତାର ନାମ ।।

ବାମ କାନ୍ଧରେ ଆପେ ବେଦବର । ଶିବ ବହିଲେ ଆପଣା ଜଟାର ।।

ସୁଜନେ – ଦକ୍ଷିଣ କାନ୍ଧ ପର

ପଇତା ବହିଲେ କମଳା ବର ।।୧୮

 

ଶିବ ମୁଖରୁ ନବ ଋଷୀ ଶୁଣି । ପଇତା କାନ୍ଧରେ ବହିଲେ ପୁଣି ।।

ବ୍ରହ୍ମାଣ କ୍ଷେତ୍ରୀୟ ଆବର ବୈଶ୍ୟ । ତ୍ରିଅ ଜାତି ଯେ ବହିଲେ ବିଶେଷ ।।

ସୁଜନେ – ଆମ୍ଭେ ଗୋପାଳ ବିଂଶ

ମହାନିତ୍ୟରେ ଯେ ଆମ୍ଭର ଆଶ ।।୧୯

 

ଗୁରୁ ଆଜ୍ଞାରେ ଦକ୍ଷିଣ କାନ୍ଧରେ । ପଇତା ବହିଲୁ ଅତି ଯତ୍ନରେ ।।

ସର୍ବ ଅମଂଗଳମାନ ନାଶିଲୁ । ସାତୁକ ଭାବେ ମଂଚେ ବେହରିଲୁ ।।

ସୁଜନେ – ଗାଇତ୍ରୀ ମନ୍ତ୍ରସାର

ପଇତା ମନ୍ତ୍ରର ଯଉଁ ବେଭାର ।।୨୦

 

ଅନାଦି ଅନାମ ଯେ ନିରାକାର । ପ୍ରକୃତି ତହୁଂ ହୋଇଲା ବାହାର ।।

ଆଦିଶକ୍ତି ନାମ ବ୍ରହ୍ମ ସେହି । ଏକାକ୍ଷର ବୋଲି ଯାହାକୁ କହି ।।

ସୁଜନେ – ତହୁଂ ବିରାଟ ଜାତ

କ୍ଳୀୟଂ ବୀଜ ଶେଷ ଫଣା ଅନନ୍ତ ।।୨୧

 

ତା ତହୁଂ ପ୍ରଣମ୍ବ ଜାତ ହୋଇଲା । ପ୍ରଣମ୍ବୁ ବୀଜ ମାନ ବାହାରିଲା ।।

ସେହୁ ବୀଜରୁ ମନ୍ତ୍ରଙ୍କ ଜନମ । ଗାଇତୀର ମନ୍ତ୍ର ପୁଣି ଉତ୍ପନ ।।

ସୁଜନେ – ଚଉ ବେଦହିଂ ହେଲା

ବ୍ରହ୍ମା ବେଦ ଧରି ସୃଷ୍ଟି ସର୍ଜିଲା ।।୨୨

 

ସତ୍ୟ ଯୁଗରେ ପ୍ରଭୁ ନାରାୟଣ । ନୃସିଂଘ ରୂପେ ନାଶିଲେ ହିରଣ୍ୟ ।।

ମୁତ୍ୟୁ ବେଳେ ସେହୁ ଦନୁଜବୀର । ପ୍ରଭୁଙ୍କୁ ଚାହିଂ ମାଗିଥିଲା ବର ।।

ସୁଜନେ – ତୁମ୍ଭ ସଂଗେ ରହିବି

ଜନ ଜଗତରେ ପୂଜା ପାଇବି ।।୨୩

 

ନୃସିଂଘ ଦେବ ହୋଇ ତୋଷ ମନ । ଅସ୍ତୁ ବୋଲିଣ ଭାଷିଲେ ବଚନ ।।

ହିରଣ୍ୟ ଅଂଗରୁ ଖୋଳ, ମାଦଳ । ଆବର ପୁଣି ବାଦ୍ୟ କରତାଳ ।।

ସୁଜନେ – ରାମ ତାଳି ହୋଇଲା

ଶିବଙ୍କ ପାରୁଶେ ଆଗହୁଂ ଥିଲା ।।୨୪

 

ସଦାଶିବ ଯେ ଦିଲେ ଆମ୍ଭ ହାଥେ । ରାହାସ କ୍ରୀତନ ନୀଳା ନିମନ୍ତେ ।।

ପୁଣିହିଂ ଶୂଳୀ ଘଣ୍ଟ ଘଣ୍ଟା ଦିଲେ । ଘଣ୍ଟି ଘାଗୁଡ଼ି ପ୍ରଦାନ ହିଁ କଲେ ।।

ସୁଜନେ – ଆମ୍ଭେ ବହିଛୁ ତାହା

ଗୁରୁ ଶୂଳ ପାଣି ଦେଲେଟି ଯାହା ।।୨୫

 

ଶ୍ରୀଗୁରୁ ଯେଣୁ କଲେକ ସୁଦୟା । ଅନାମ ଭଜନେ ଆମ୍ଭ ସିନେହା ।।

ଆସନ ଶୁଦ୍ଧି ଅଂଗନ୍ୟାସ ନାହିଂ । ଭୂତ ଶୁଦ୍ଧି ଆଦି କିଛି ନ ଥାଇ ।।

ସୁଜନେ – ଶୁଦ୍ଧା ଶୁଦ୍ଧ ନଜାଣୁ

ମନ୍ତ୍ର ଯନ୍ତ୍ର ତନ୍ତ୍ର ତୁଚ୍ଛଟି ମଣୁ ।।୨୬

 

ଅନାମ ବ୍ରହ୍ମ ଅରୂପରେ ଆଶ । ମୂର୍ଖ ପଣରେ ଭ୍ରମୁ ବଣ ଦେଶ ।।

ହେବା ନ ହେବା ଆପଣ ଜାଣିବେ । ଯାହା ଇଚ୍ଛା ଶ୍ରୀମୁଖେ ଆଜ୍ଞାଦେବେ ।।

ସୁଜନେ – ଦ୍ଵାରୀ ନିତ୍ୟ ସୁଦାମ

ସନ୍ତୋଷ୍ଟ ଚିତ୍ତରେ ଦ୍ଵାର ଛାଡ଼ିଣ ।।୨୭ 

 

ତାଙ୍କ ଆଜ୍ଞାରେ ଭିତଦରକୁ ଗଲୁ । ରାହାସ ମଣ୍ଡଳ ଦୂରୁ ଦେଖିଲୁ ।।

ଶ୍ରୀକୃଷ୍ଣ ଚନ୍ଦ୍ର କରନ୍ତେ କରୁଣା । ତ୍ରିପୁର ଭୂଇଂ ମିଳିଲାକ ସିନା ।।

ସୁଜନେ – କହେ ଅଛୁତି ଦାସ

ଗହନ ଗୁପତ ଏହୁ ରାହାସ ।।୨୮

(ଇତି ଶ୍ରୀ ତ୍ରିପୁର ରାହାସ ବର୍ଣ୍ଣନେ ସପ୍ତମ ଛାନ୍ଦ)

-o-

 

ନବମ ଛାନ୍ଦ

 

ସଖାଙ୍କ ଗହଣେ ଶ୍ରୀକୃଷ୍ଣ ଭିତର ପୁରେ ଗଲେ ।

କୋଟି ତପନ ସମ ପ୍ରଭା ଦେଖି ଚକିତ ହେଲେ ।।୧

 

ଗୋପୀ ଗୋପାଳ ଅଗଣନା ତହିଁ ପୁରି ଅଛନ୍ତି ।

ଚଉଷଠୀ ସହସ୍ର ସଖା ସଖୀ ରାସେ ଖଟନ୍ତି ।।୨

 

ଆମ୍ଭଙ୍କୁ ଦେଖିଣ ଗୋପାଳେ ବହନ ବେଢ଼ିଗଲେ ।

ଚୋର ଖଣ୍ଟ ପରାଏ ମଣି ତତକାଳେ ବାନ୍ଧିଲେ ।।୩

 

ବେନି ଯୁଣ ପଥ ନେଲେଟି କରିଣ ସେ ବଂଧନ ।

ରାହାସ କୁଂଜ ଦ୍ଵାର ପାଶେ ଯାଇ ହେଲେଟି ଜାଣ ।।୪

 

ଦୁଆର ଜଗି ବସିଅଛି ବୃନ୍ଦା ପାଏ ଦେବତୀ ।

ଆମ୍ଭଙ୍କୁ ଗୋପାଳେ ଛାଡ଼ିଲେ ନେଇ ତାହାଙ୍କ କତି ।।୫

 

ଦେଖିଣ ସେ ଦେବୀ ସଧୀରେ ବୋଇଲେକ ବଚନ ।

କଉଁଣ ଭାବରେ ଆସିଲ ଏ ଅଗମ୍ୟ ଭୋବନ ।।୬

 

ଭିତରେ ରାହାସ ଲାଗିଛି ମୁହିଁ ଜଗିଛି ଦ୍ଵାର ।

ଶୂନ୍ୟ ନିରାକାର ମନ୍ତ୍ରକୁ କହୁ ମୋହ ଛାମୁର ।।୭

 

ଷୋଡ଼ଶ ଅକ୍ଷର ମନ୍ତ୍ର ଯେ ପୁଣି ବତିଶାକ୍ଷର ।

ରାହାସକୁଂଜରେ ଅଛନ୍ତି ସେ କଉଁଣ ଭାବର ।।୮

 

ଏ ଭେଦମାନ ଜାଣିଥିଲେ ସେହୁ ମିଶେ ରାହାସେ ।

ଅଷ୍ଟାକ୍ଷର ଯେ ଭେଦିଥିବା ସେହୁ ଏଥଳେ ଆସେ ।।୯

 

ତହୁଂ ଆମ୍ଭେ ଆଗ ହୋଇଣ ଶିରରେ ଯୋଡ଼ିକର ।

ଭୋମାତ ତୋର ଦୟାହେଲେ କହିଦେବା ବିଚାର ।।୧୦

 

ପରମ ବ୍ରହ୍ମ ନିରାକାର ଅନାଦି ସେ ଅନାମ ।

ଅରୂପ ଅବେକ୍ତ ଅଲେକ ଅଟଇ ସେହୁ ଶୂନ୍ୟ ।।୧୧

 

ତାହାର କଳ୍ପଣା ହୋଅନ୍ତେ ଅନାମୁ ନାମହେଲା ।

ଅଣଅକ୍ଷରରୁ ସେହୁଟି ଏକାକ୍ଷର ହୋଇଲା ।।୧୨

 

ଆଦି ମାତା ସେହୁ ବୋଲାଇ ଯୋଗମାୟା ତା’ ନାମ ।

ଆଦି ଅନାଦିଙ୍କ ସଂଯୋଗେ ବିରାଟର ଜନମ ।।୧୩

 

ତହିଁରୁ ପ୍ରଣବ ଉତ୍ପତି ତହୁ ସୃଷ୍ଟି ସଂଭବ

ପ୍ରଣବ ବେଢ଼ାଇ ରଖିଛି ସଭିଙ୍କୁ ନିଜ ଗର୍ଭ ।।୧୪

 

ଜ୍ଞାନ ତଚ୍ଛୁରେ ଯେ ଦେଖିବ ଅଘ ହେବ ନାଶନ ।।

ବେକ୍ତ କଲେ ମୋକ୍ଷ ଗତିକୁ ପାଇ ହେବ କାରଣ ।।୧୫

 

ଏକା ଭଗତେ ଯେ ଜାଣିବେ ସଦଗୁରୁ ସେବିଲେ ।

ତୋ ଆଗେ କହୁଛି ମାଏ ଗୋ ଗୁରୁ କରୁଣା କଲେ ।।୧୬

 

ନିଶବଦରୁ ଯେ ଶବଦ ଅଣାକ୍ଷରୁ ଅକ୍ଷର ।

ଅଂ ବୋଲି ଆଦ୍ୟ ହୋଇଲା ତୁହି ବିଚାର କର ।।୧୭

 

ଅହକ୍ କହର୍ଚ୍ଚ ଅଲେଖ ଅବୁଦେୟ ବିନ୍ଦିବ ।

ଶୂନ୍ୟବର ହକ୍ ଅହକ୍ ନିରାକାର ସ୍ମରିବ ।।୧୮

 

ବର୍ଚ୍ଚ ସିଦ୍ଧ ଅଃ ମିଶିଣ ବତିଶାକ୍ଷର ହେଲା ।

ଶୂନ୍ୟ ମନ୍ତ୍ର ଏହୁ ମନ୍ତ୍ରଙ୍କ ଉପରେ ହିଁ ରହିଲା ।।୧୯

 

ଏହୁ ମନ୍ତ୍ର ଯେହୁ ଜାଣିବ ନିତ୍ୟ ଥଳକୁ ଯିବ ।

ତ୍ରିପୁର ଭୂଇଁରେ ରାହାସ ଦରଶନ କରିବ ।।୨୦

 

ଆବର ବତିଶ ଅକ୍ଷର ମହାମନ୍ତ୍ର ଯା କହି

ବତିଶ ଦଳ କମଳରେ ବତିଶ ଗୋପୀ ସେହି ।।୨୧

 

ହରେ ରାମ କୃଷ୍ଣ ଶ୍ୟାମ ହ୍ରୀୟଁ ଶ୍ରୀୟଂ କ୍ଳୀୟଂ ଦାମ ।

ନନ୍ଦ କନ୍ଦ ଦୀନ ଧର୍ମ ଯେ ଏବେ ହେତୁରେ ଘେନ ।।୨୨

 

ସାଧୁ ମଧୁ ନାମ ବ୍ରହ୍ମରେ ବତିଶାକ୍ଷର ହେଲା ।।

ଗୁପତ ମହାମନ୍ତ୍ର ଏହୁ ରାସ କୁଂଜୁ କ୍ଷରିଲା ।।୨୩

 

ଗାଇତିରୀ ଚଉଷଠି ଯେ ଚଉଷଠି ଦଳରେ ।।

ପ୍ରେମ ଷୋଡ଼ଶୀ ରହିଅଛି ଷୋଡ଼ଶ ପାଖୁଡ଼ାରେ ।।୨୪

 

ହ୍ରୀୟଁ କ୍ଳୀୟଁ ଶ୍ରୀୟଁ ସଂଗରେ ଗୋପୀଜନକୁ ଘେନି ।।

ବଲ୍ଲଭାୟ ସ୍ଵାହା ଶ୍ରୀୟଁ କ୍ଳୀୟଁ ହ୍ରୀୟଁ ରେ ପୁଣି ।।୨୫

 

ଆବର ଷୋଳ ନାମ ଅଛି ରାହାସ ମଣ୍ଡୋଳରେ ।।

ଅଷ୍ଟହରେ ଚଉ ରାମ ଯେ ଚାରି କୃଷ୍ଣ ସେଠାରେ ।।୨୬

 

ଗାଇତିରି ଚଉଷଠି ଯେ ଚଉଷଠି କାମିନୀ ।।

ଚଉଷଠି ସହସ୍ର ଗୋପୀ ରାହାସ ଥଳେ ଜାଣି ।।୨୭

 

ଚଉଷଠି ଗୋପୀଙ୍କ ନାମ ଏବେ କହୁଛି ମୁହିଁ ।

ଶ୍ରୀଗୁରୁଙ୍କ ମୁଖୁ ପୂର୍ବରୁ ଯାହା ଶୁଣିଥିଲି ହିଁ ।।୨୮

 

ଅପର୍ଣ୍ଣା, ଅବନା, ଅନ୍ନପୂର୍ଣ୍ଣା ଅମ୍ବୁବତୀ ।

କେଶନିକା, କମଳା, କାବେରୀ, କଳାବତୀ ।।୨୯

 

ଶ୍ୟାମ, ମଲୀ, କାମକଳା, ନୀଳା, କାମେଶ୍ଵରୀ ।

ଗୋଦାବରୀ, ଶୋଭନିକା, ଶେଫାଳୀ, ଗଉରୀ ।।୩୦

 

ଚାମେରୀ, ସୁଶୀଳା, ଶତରୂପା, କାମକଳା ।

ନାରାଏଣୀ, ସତ୍ୟବତୀ, ମାନିନୀ, ଉର୍ମିଳା ।।୩୧

 

ପରିମଳା, ପ୍ରଭାବତୀ, ରତୀ, ଶଶୀପ୍ରିୟା ।

ବିଶାଳାକ୍ଷୀ, ଶକୁନ୍ତଳା, ରମା ଯେ ସାରିଆ ।।୩୨

 

ଚିତ୍ରରେଖା, ଚିତ୍ରାବତୀ, ଚିତ୍ରଣୀ, ପଦ୍ମିନୀ ।

ମଧୁବାଳା, ମଧୁକଳ୍ପା, ମାଧୁରୀ, ମାଳିନୀ ।।୩୩

 

ଲୀଳାବତୀ, ପରିମିତା, ବିମ୍ବଳା, ସୁକାନ୍ତୀ ।

ସାରିକା, ଚପଳା, ହରିଣାକ୍ଷୀ, ହୀରାବତୀ ।।୩୪

 

ଶୁଭ୍ରଦନ୍ତୀ, ଶଶୀକଳା, କୋକିଳା, ସୁଲେଖା ।

ମୋହିନୀ ମଦନା, ଶ୍ରୀମତ୍ସଳା ଯେ ଜାନୁକା ।।୩୫

 

ରୁକୁଣା, ଅଖିଳା, ଚଂପାମଣୀ, ଜମ୍ବୁବତୀ ।

ଚନ୍ଦ୍ରମୁଖୀ ରେବତୀ ଯେ ଆବର ସୁମତୀ ।।୩୬

 

ଚଉଷଠୀ ଦଳ ଚଉଷଠୀ ଗୋପବାଳୀ ।

ଗାଇତୀରି ଚଉଷଠୀ ରାହାସର ଥଳି ।।୩୭

 

ଷୋଡ଼ଶ ଦଳରେ ଷୋଳ ନାମ ରହିଛନ୍ତି ।

ରାହାସ ମଣ୍ଡୋଳେ ଗୋପୀ ରୂପରେ ଅଛନ୍ତି ।।୩୮

 

ସୋଭଦ୍ରିକା, ଶ୍ୟାମଳାଙ୍ଗି, ନିତ୍ୟା ମଧୁମତୀ ।

ପ୍ରିୟମ୍ବଦା, ଧନ୍ୟ, କୃଷ୍ଣା, ମେନକା, ସୁମତୀ ।।୩୯

 

ପାରୁଆ, ଚଞ୍ଚଳା, ସ୍ଵର୍ଣ୍ଣମୁଖୀ, ତିଳୋତ୍ତମା ।

ଗଂଧିନୀ, ଅହଲ୍ୟା, ପଦ୍ମାବତୀ, ଷୋଳ ବାମା ।।୪୦

 

ଅଷ୍ଟ ଦଳକୁ ଅବୋରି ଅଷ୍ଟ ସଖୀ ଯେହୁ ।

ବ୍ରହ୍ମ ଗାଇତିରୀ ମଧ୍ୟେ ଅଷ୍ଟାକ୍ଷର ସେହୁ ।।୪୧

 

ସୁକାନ୍ତୀ, ସ୍ଵରୂପା ସୁଲକ୍ଷଣା ଯେ ସୁରତୀ ।

ସୁଲଗ୍ନା, ସୁବ୍ରତା, ସୁଦୁର୍ଗା ଯେ ସୁରବତୀ ।।୪୨

 

ଅଷ୍ଟ ଦିଗେ ରହି ରାହାସେ ସେବା କରନ୍ତି ।

ନିତ୍ୟ ରାଧାଙ୍କର ଅଂଗୁ ହୋଇ ଉତପତି ।।୪୩

 

ଅଷ୍ଟ ସଖୀଙ୍କ ମହିମା କେହୁ ବା ବର୍ଣିବ ।

ସଦଗୁରୁ ସେବି ଏକା ଭଗତ ଭେଦିବ ।।୪୪

 

ନିତ୍ୟ ରାଧାଙ୍କର ପୁଣି ଅଷ୍ଟପରିବାରି ।।

ଅଷ୍ଟ ଦିଗେ ରହିଛନ୍ତି ସେ ଅଷ୍ଟ ମଂଜରୀ ।।୪୫

 

ରୂପ ମଂଜରୀ ଆବର ଲବଙ୍ଗ ମଂଜରୀ ।

ରତି ମଂଜରୀ ସଂଗତରେ ରସ ମଂଜରୀ ।।୪୬

 

ଗୁଣ ମଂଜରୀ ଯେ ଅଂଜନା ମଂଜରୀ କହି ।

ବିଳାସ ମଂଜରୀ କସ୍ତୁରୀ ମଂଜରୀ ସହୀ ।।୪୭

 

ଶ୍ରୀ ରାଧାଙ୍କ ବହି ରଂଗା ଏ ଅଷ୍ଟ ଯୁବତୀ ।

ରାହାସ ମଣ୍ଡଳେ ରହି ଆଜ୍ଞାରେ ଖଟନ୍ତି ।।୪୮

 

ଅଷ୍ଟ ସଖୀଙ୍କ ଉପରେ ଛଡ଼ ଶକ୍ତି ରହି ।

ଛଡ଼କୋଣ ଯନ୍ତ୍ର ଛଡ଼ ଦଳ ପଦ୍ମେ ଥାଇ ।।୪୯

 

ତ୍ରିୟକୋଣ ଯନ୍ତ୍ରେ କୃଷ୍ଣ ରାଧା ଚନ୍ଦ୍ରାବଳୀ ।

ରାହାସରେ ଛନ୍ତି ବେଢ଼ି ଛନ୍ତି ଗୋପବାଳୀ ।।୫୦

 

ଦୁଇ ଦଳେ ପୁଣି ରାଧା କୃଷ୍ଣ ସଦାରହି ।

ରାହାସରେ ମଜିଛନ୍ତି ରୂପ ଗୁଣ ନାହିଁ ।।୫୧

 

ଏକଦଳେ ଅଜ୍ୟାତୀ ସ୍ଵରୂପରେ ବେହାର ।

ରାହାସ ଲାଗିଛି କେହୁ କରିବ ଗୋଚର ।।୫୨

 

ସଦଗୁରୁ ସେବି ଏହୁ ତତ୍ତ୍ଵକୁ ଭେଦିଛୁ ।

ପିଣ୍ଡରେ ରାହାସ ନୀଳା ନିତି ହିଁ ଦେଖୁଛୁ ।।୫୩

 

ବ୍ରହ୍ମାଣ୍ଡରେ ଏହୁ ନୀଳା ଦେଖିବା ବାଞ୍ଛଲୁ ।

ସଦଗୁରୁ ଆଜ୍ଞା ପାଇ ଏ ଥଳେ ମିଳିଲୁ ।।୫୪

 

ଏମନ୍ତ ବଚନ କହି ଯୋଡ଼ି ବେନିକର ।

ପ୍ରଣମ୍ବିତ ହେଲୁ ନିତ୍ୟ ବୃନ୍ଦାଙ୍କ ପୟର ।।୫୫

 

ହସ ହସ ହୋଇ ତହୁଂ ବଇଲେ ବଚନ ।

ଧନ୍ୟ ଧନ୍ୟ ମାନବାରେ ଧନ୍ୟ ହେଲା ଜନ୍ମ ।।୫୬

ରାଧା କୁଣ୍ଡ ବୋଲି ଏଥେ ଅଛି ସରୋବର ।

ସ୍ରାହାନ କରିଣ ତହିଁ ଆସ ହୋ ସତ୍ଵର ।।୫୭

 

ଆମ୍ଭଙ୍କୁ ନେଇଣ ନିତ୍ୟ ଗୋପୀ ମାନେ ଗଲେ ।

ରାଧା କୁଣ୍ଡରେ ବୁଡ଼ାଇ ସ୍ନାନ କରାଇଲେ ।।୫୮

 

ଉପରକୁ ଉଠନ୍ତେଣ ତନୁ ପାଲଟିଲା ।

ଦିବ୍ୟ ଗୋପୀପ୍ରାଏ ଆମ୍ଭ ଅଂଗହିଁ ହୋଇଲା ।।୫୯

 

ବୃନ୍ଦାବତୀଙ୍କ ଆଜ୍ଞାରେ ଭିତରେ ପଶିଲୁ ।

ତ୍ରିପୁର ଭୁଇଁରେ ନିତ୍ୟ ରାହାସେ ମିଶିଲୁ ।।୬୦

ପୂର୍ବ ହେତୁ ପାଶୋରିଲା ହେଲୁ ସ୍ତିରୀ ଅଂଗ ।

ଆମ୍ଭ ସଂଗତରେ ଲୀଳା କଲେ ଶିରୀ ରଂଗ ।।୬୧

 

ତ୍ରିପୁର ରାହାସ ଏହୁ ଶୁଣ ଗୋପସୁତ ।

ଅପ୍ରକଟ ଲୀଳା କହେ ପାମର ଅଚ୍ୟୁତ ।।୬୨

-o-

 

ଦଶମ ଛାନ୍ଦ

 

ଶୁଣ ଗୋପସୁତ ହେତୁ ଚିତ୍ତରେ । ରାହାସ ହୋଏ ତ୍ରିପୁର ଭୂଇଁରେ ।।

ଅନାମ ଜମୁନା ଯାଉଛି ବହି । ନିଗମ କାଦମ୍ବରୀ ତରୁ ତହିଁ ।।

ସହୀରେ – ମଣି ବେଦୀ ଉପରେ

ରାଧାକୃଷ୍ଣ ବିଜେ ଜ୍ୟୋତୀ ରୂପରେ ।।୧

 

ଆମ୍ଭେ ବାର ସଖା କୃଷ୍ଣ ସଂଗତ । ରାହାସେ ମଜି ହୋଇଲୁ ମୋହିତ ।।

ଅଷ୍ଟ ସଖୀଏ ବାଦ୍ୟ ମାନ ଧରି । ତାଳ ବାଆନ୍ତି ପୁଣି ନୃତ୍ୟ କରି ।।

ସହୀରେ – ଚାମର ଯେ ବିଞ୍ଚଣୀ

ସେବା କରୁଛନ୍ତି ନିତ୍ୟ କାମେନୀ ।।୨

 

ପୁଷ୍ୟମାଳ କେହୁ ଧରିଣ କର । ବେଶ କରାବନ୍ତି ନଟ ନାଗର ।।

ସୁଂଗନ୍ଧି ଛେରା କେହୁ ସିଞ୍ଚୁଅଛି । ଘୃତ ଦୀପରେ କେହୁ ବନ୍ଦାଉଛି ।।

ସହୀରେ – କସ୍ତୁରୀ ଯେ କର୍ପୂର

କେହୁ ଗୋପୀ ବୋଳେ ଶିରୀ ଅଂଗର ।।୩

 

ପିନ୍ଧିଛନ୍ତି ଅମଳନ ବସନ । ରତ୍ନ ଅଳଙ୍କାରେ ତନୁ ଶୋଭନ ।।

ବକ୍ଷ କୁଚ ଶୋଭା କେ ବର୍ଣ୍ଣିପାରେ । ମୁଖ ଶୋଭାଦେଖି ଚନ୍ଦ୍ରମା ଡରେ ।।

ସହୀରେ - ଚରଣରେ ଅଳତା

କାମୀ ଜନଙ୍କର ବୁଡ଼ିବ ଚେତା ।।୪

 

ମଥାର କେଶ କେ ପାରିଛି ବେଶୀ । ଆବର ଜୂଡ଼ା ବାନ୍ଧିଛି କେ ପୁଣି ।।

ମସ୍ତକରେ ମଥାମଣି ଲଗାଇ । ପୁଷ୍ୟ ହାରରେ ସର୍ବେ ମଣ୍ଡିତ ହିଁ ।।

ସହୀରେ – ଲଲାଟରେ ସିନ୍ଦୁର

କଜ୍ଵଳର ଗାର ପୁଣି ନେତ୍ରର ।।୫

 

ଶ୍ରୀରାଧା କୃଷ୍ଣଙ୍କ ପାରୁଶେ ତହିଁ । ତ୍ରିୟ ଗୋପୀକା ଯେ ଅଛନ୍ତି ରହି ।।

ପ୍ରେମଶୀଳା, ପ୍ରେମାଙ୍ଗା, ପ୍ରେମବତୀ । କୋଟି ସୂର୍ଯ୍ୟସମ ତାଙ୍କର ଜ୍ୟୋତି ।।

ସହୀରେ – ରାଧା କୃଷ୍ଣ ଅଂଗରୁ

ଜ୍ୟୋତିର୍ମୟ ଦେହୀ କେ ବର୍ଣ୍ଣିପାରୁ ।।୬

 

ବଂଶୀ ଧ୍ଵନୀ ଶୁଭଇ ଘନ ଘନ । ଦ୍ଵାଦଶ ବାଜଣା ବାଜେ ସେ ଥାନ ।।

ଗୋପାଳେ ତହିଁ ବେଢ଼ି ରହିଛନ୍ତି । କୃଷ୍ଣ ପରାଏ ସରବେ ଦିଶନ୍ତି ।।

ସହୀରେ – ତହିଁ ନୀଳା ଲାଗିଛି

ସେ ଥଳୁମନ ନ ଆସେ ମୁରୁଛି ।।୭

 

ଗୋପୀମାନେ ରାଧା ସୋରୂପ ତହିଁ । ଗୋପୀ ଗୋପଳ ବାରି ନ ହୁଅଇ ।।

ଆମ୍ଭେ ହିଁ ଗୋପୀ ତନରେ ଦେଖିଲୁ । ନିତ୍ୟ କୃଷ୍ଣ ଅଂଗ ସଂଗ ଲଭିଲୁ ।।

ସହୀରେ – ଅମରଙ୍କୁ ଅଗମ୍ୟ

ଏକା ଭେଦିଛନ୍ତି ପଞ୍ଚ ଆନନ ।।୮

 

ରସାନନ୍ଦ ମହାନନ୍ଦଙ୍କ ଶୋଭା । ପ୍ରେମାନନ୍ଦ ତହିଂ ତ୍ରିପୁର ଆଭା ।।

ମହାନନ୍ଦ ନିତ୍ୟ କୃଷ୍ଣଟି ତହିଂ । ରସାନନ୍ଦ ବୋଲି ରାଧାଙ୍କୁ କହି ।।

ସହୀରେ – ପ୍ରେମନନ୍ଦଟି ଯେହୁ

ଚନ୍ଦ୍ରାବଳୀ ବୋଲି ଜାଣିବ ସେହୁ ।।୯

 

ଦୂତୀକା ପୁଣୀ ପାରୁଶରେ ଥାଇ । ରାହାସରେ ସେ କାରେଣୀ ହୁଅଇ ।।

ପିଣ୍ଡ ବ୍ରହ୍ମାଣ୍ଡେ ଲାଗିଅଛି ନୀଳା । ମଂଚେ ନୀଳାଞ୍ଚଳେ ସ୍ଵରୂପେ ମିଳା ।।

ସହୀରେ – ଲୀଳା ଲାଗିଛି ତହିଁ

ଯୁଗ ଯୁଗାନ୍ତରେ ଅନ୍ତ ନ ହୋଇ ।।୧୦

 

ମହାନନ୍ଦ ଆପଣେ ଜଗନ୍ନାଥ । ରସାନନ୍ଦଟି ସୋଭଦ୍ରିକା ମାତ ।।

ବଳଭଦ୍ର ପ୍ରେମାନନ୍ଦ ଯା କହି । ସୁଦ୍ରେସନ ଦୂତିକା ରୂପ ହୋଇ ।।

 ସହୀରେ – ଲାଗି ଅଛି ରାହାସ

ମର୍ତ୍ତ୍ୟ ଗୋଲକ କ୍ଷେତ୍ରଙ୍କର ଈଶ ।।୧୧

 

ହ୍ରୀୟଂ ଶ୍ରୀଁୟଂ କ୍ଳୀୟଂ ଧ୍ରୀୟଂକୁ ଘେନି । ପ୍ରୀୟଂ ମିଶି ପଞ୍ଚୁ ବୀଜଟି ଜାଣି ।।

ବଳଭଦ୍ର ସୋଭଦ୍ରା ଜଗନ୍ନାଥ । ସୁଦ୍ରେସନ ସିଂଘାସନ ଏ ଖ୍ୟାତି ।।

ସହୀରେ – ଗୁପତ ରାସ ଥଳ

ନିତ୍ୟ ନୀଳା ହୋଏ ଶ୍ରୀନୀଳାଞ୍ଚଳ ।।୧୨

 

ଆଦି ଗୁରୁ ସଦାଶିବ ଯେ ଯହୁଁ କଲେ କରୁଣା

ତ୍ରିପୁର, ରାହାସ ଦେଖିଲୁ ଆମ୍ଭ ପ୍ରତ୍ୟକ୍ଷେ ସିନା ।।୧୩

 

ଶ୍ରୀକୃଷ୍ଣ ପାଦରୁ ରାଧିକା ହୋଇ ଅଛନ୍ତି ଜାତ

ରଧାଙ୍କ ପାଦରୁ ଶ୍ରୀକୃଷ୍ଣ ପୁଣି ହୋଇ ସଂଭୂତ ।।୧୪

 

 ଏକ ଅଂଗେ ବେନି ରୂପଟି କ୍ଷଣେ ନୋହେ ଅନ୍ତର ।

ସଖା ସଖୀ ଗଣ ସେପୁରେ ସରବେ ଏକାକାର ।।୧୫

 

ସଖା ଗଣ ଆମ୍ଭେ ଦେଖିଣ ଆଚମ୍ବିତ ହୋଇଲୁ

ନିତ୍ୟ କୃଷ୍ଣଙ୍କ ଆଜ୍ଞାଂ ପାଇ ତହୁଂ ବାହାର ହେଲୁ ।।୧୬

 

ଗୋପୀଗଣ ବେଢ଼ି ଆମ୍ଭଙ୍କୁ ସଂଗତରେ ସେ ନେଲେ ।

ଶ୍ୟାମ କୁଣ୍ଡ ନୀରେ ବହନ ସ୍ରାହାନ କରାଇଲେ ।।୧୭

 

ସ୍ରାହାନ ଅନ୍ତେଣ ଆଚାରପୁଂସ ତନୁ ହୋଇଲା ।

ପୂର୍ବ ହେତୁ ଜ୍ଞାନ ଆସନ୍ତେ ମନ ସନ୍ତୋଷ ହେଲା ।।୧୮

 

ଆନନ୍ଦିତ ହୋଇ ସରବେ ସେ ଥଳରୁ ଫେରିଲୁ ।

ଗରୁଡ଼ ପୃଷ୍ଠେ ଆରୋହିଣ ଗୋପପୁରେ ମିଳିଲୁ ।।୧୯

 

ଦ୍ଵାପର ସୁଦାମ ଗୋପାଳ ମୁହିଁ ଅଚ୍ୟୁତ ଦାସ ।

ଏକଳି ଯୁଗରେ ଜନମି ରଂଚିଲିଟି ରାହାସ ।।୨୦

 

ସଦାଶିବ ଗୁରୁ ଯେଣୁଟି ବିଦ୍ୟା ପଢ଼ାଇଥିଲେ ।

ନୀଳାଞ୍ଚଳରେ ଜଗୁଦାସ ରାହାସ ଶିଖାଇଲେ ।।୨୧

 

ପଦ୍ମବନ ଠାରେ ରହିଲି ସାଧୁ ସଂଗକୁ ତେଜି ।

କାମେନୀ ସଂଗତେ ନିରତେ କାମ ରସରେ ମଜି ।।୨୨

 

ଉଦ୍ଧାରିବେ ଭବ ସାଗରୁ ଜଗତ ଉଦ୍ଧାରଣ ।

ନାମରେ ଆଶ୍ରିତ ଜନ ଯେ କଳିଯୁଗେ କାରଣ ।।୨୩

 

ସଂପୂର୍ଣ୍ଣ ତ୍ରିପୁର ରାହାସ ହରି ହରି ସୋମର ।

କହଇ ପାମର ଅଚ୍ୟୁତ ଭବୁ ହେବଟି ପାର ।।୨୪

-o-